ଗାଲାତୀୟ ମଣ୍ତଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:1-30 IRVOry - Bible AI

1କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେ ଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ,

2କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧୀନରେ ଥାଏ।

3ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ମୌଳିକ ବିଷୟଗୁଡ଼ାକର ଦାସ ଥିଲୁ

4କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ; ସେ ସ୍ତ୍ରୀଜାତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେଲେ,

5ଯେପରି ସେ ମୂଲ୍ୟ ଦେଇ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି, ଆମ୍ଭେମାନେ ପୁତ୍ରତ୍ୱର ଅଧିକାରପ୍ରାପ୍ତ ହେଉ।

6ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି।

7ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି, ଯଦି ପୁତ୍ର, ତେବେ ଈଶ୍ବରଙ୍କ କର୍ତ୍ତୃକ ଉତ୍ତରାଧିକାରୀ।

8ମାତ୍ର ପୂର୍ବରେ ତୁମ୍ଭେମାନେ ଈଶ୍ବରଙ୍କୁ ନ ଜାଣି, ଯେଉଁମାନେ ପ୍ରକୃତରେ ଈଶ୍ବର ନୁହଁନ୍ତି, ସେମାନଙ୍କର ଦାସ ଥିଲ;

9କିନ୍ତୁ ଏବେ ଈଶ୍ବରଙ୍କ ପରିଚୟ ପାଇଅଛ; ବରଂ ଈଶ୍ବରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ମୌଳିକ ବିଷୟଗୁଡ଼ିକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ?

10ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ।

11ତୁମ୍ଭମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି, କାଳେ ତାହା ବ୍ୟର୍ଥ ହୁଏ, ତୁମ୍ଭମାନଙ୍କ ସମ୍ବନ୍ଧରେ ମୋହର ଏହି ଭୟ ହେଉଅଛି।

12ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋʼ ପରି ହୁଅ, କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଅଛି। ତୁମ୍ଭେମାନେ ମୋʼ ପ୍ରତି କୌଣସି ଅନ୍ୟାୟ କରି ନାହଁ।

13କିନ୍ତୁ ତୁମ୍ଭେମାନେ ଜାଣ ଯେ, ଶାରୀରିକ ପୀଡ଼ା ହେତୁ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି

14ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ୱରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ବରଙ୍କ ଜଣେ ଦୂତ ସ୍ୱରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ମୋତେ ଗ୍ରହଣ କଲ।

15ତେବେ ତୁମ୍ଭମାନଙ୍କର ସେହି ଆନନ୍ଦ କାହିଁ? କାରଣ ମୁଁ ତୁମ୍ଭମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଉଅଛି ଯେ, ସମ୍ଭବ ହୋଇଥିଲେ ତୁମ୍ଭେମାନେ ଆପଣା ଆପଣାର ଚକ୍ଷୁ ଉତ୍ପାଟନ କରି ମୋତେ ଦେଇଥାଆନ୍ତ।

16ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟ କହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି?

17ସେମାନେ ତ ତୁମ୍ଭମାନଙ୍କ ବିଷୟରେ ଉଦ୍‍ଯୋଗୀ, କିନ୍ତୁ ଭଲ ଅଭିପ୍ରାୟରେ ନୁହେଁ, ବରଂ ତୁମ୍ଭେମାନେ ଯେପରି ସେମାନଙ୍କ ବିଷୟରେ ଉଦ୍‍ଯୋଗୀ ହୁଅ, ଏଥିନିମନ୍ତେ ସେମାନେ ତୁମ୍ଭମାନଙ୍କୁ ମୋʼଠାରୁ ପୃଥକ୍ କରିବାକୁ ଇଚ୍ଛା କରୁଅଛନ୍ତି।

18କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍‍ଯୋଗୀ ହେବା ଭଲ।

19ହେ ମୋହର ପିଲାମାନେ, ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କ ସକାଶେ ମୁଁ ପୁନର୍ବାର ପ୍ରସବ ବେଦନାରେ ବ୍ୟଥିତ ହେଉଅଛି।

20ମୁଁ ଯେପରି ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ଅନ୍ୟ ଭାବରେ କଥା କହିପାରନ୍ତି, ଏହା ମୋହର ଇଚ୍ଛା; କାରଣ ମୁଁ ତୁମ୍ଭମାନଙ୍କ ବିଷୟରେ ହତବୁଦ୍ଧି ହେଉଅଛି।

21ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେବାକୁ ଇଚ୍ଛା କରୁଅଛ ଯେ ତୁମ୍ଭେମାନେ, ମୋତେ କୁହ ତ, ତୁମ୍ଭେମାନେ କଅଣ ମୋଶାଙ୍କ ବ୍ୟବସ୍ଥାର ବାକ୍ୟ ଶୁଣୁ ନାହଁ?

22କାରଣ ପବିତ୍ର ଶାସ୍ତ୍ରରେ ଲେଖାଅଛି, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ, ଜଣେ ଦାସୀଠାରୁ ଓ ଆଉ ଜଣେ ସ୍ୱାଧୀନା ସ୍ତ୍ରୀଠାରୁ ଜାତ।

23ଯେ ଦାସୀର ପୁତ୍ର, ସେ ଶାରୀରିକ ସ୍ୱଭାବାନୁସାରେ ଜାତ ହେଲା; ମାତ୍ର ଯେ ସ୍ୱାଧୀନା ସ୍ତ୍ରୀର ପୁତ୍ର, ସେ ପ୍ରତିଜ୍ଞା ବଳରେ ଜାତ ହେଲା।

24ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମସ୍ୱରୂପ; ଗୋଟିଏ ନିୟମ ସୀନୟ ପର୍ବତରୁ ଉତ୍ପନ୍ନ, ତାହା ଦାସତ୍ୱ ନିମନ୍ତେ ସନ୍ତାନ ପ୍ରସବକାରିଣୀ, ହାଗାର ସେଥିର ନିଦର୍ଶନ।

25ହାଗାର, ଏହି ଶବ୍ଦ ଆରବ ଦେଶରେ ସୀନୟ ପର୍ବତକୁ ବୁଝାଏ, ପୁଣି, ତାହା ବର୍ତ୍ତମାନ ଯିରୂଶାଲମ ସହରର ସମତୁଲ୍ୟ, କାରଣ ଏ ଆପଣା ସନ୍ତାନମାନଙ୍କ ସହିତ ଦାସତ୍ୱରେ ରହିଅଛି।

26କିନ୍ତୁ ଊର୍ଦ୍ଧ୍ୱସ୍ଥ ଯିରୂଶାଲମ ସ୍ୱାଧୀନା, ସେ ଆମ୍ଭମାନଙ୍କ ଜନନୀ;

27ଯେଣୁ ଲେଖାଅଛି,

28ହେ ଭାଇମାନେ, ତୁମ୍ଭେମାନେ ଇସ୍‌ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ।

29କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ, ତାହାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି।

30ମାତ୍ର ଶାସ୍ତ୍ର କଅଣ କୁହେ? ଦାସୀ ଓ ତାହାର ପୁତ୍ରକୁ ବାହାର କରିଦିଅ; କାରଣ ଦାସୀର ପୁତ୍ର ସ୍ୱାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ।

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
/div>