ଗାଲାତୀୟ ମଣ୍ତଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:1-25 IRVOry - Bible AI

1ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି; ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉ ଥରେ ଯୋଚା ନ ଯାଅ।

2ଦେଖ, ମୁଁ ପାଉଲ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭମାନଙ୍କର ସୁନ୍ନତ ହୁଏ, ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।

3ମୁଁ ସୁନ୍ନତ ପ୍ରାପ୍ତ ହେଉଥିବା ପ୍ରତ୍ୟେକ ଜଣକୁ ପୁନର୍ବାର ସାକ୍ଷ୍ୟ ଦେଉଅଛି ଯେ, ସେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଦାୟୀ।

4ତୁମ୍ଭେମାନେ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ, ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇଅଛ, ତୁମ୍ଭେମାନେ ଅନୁଗ୍ରହରୁ ପତିତ ହୋଇଅଛ।

5କାରଣ ଆମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ବିଶ୍ୱାସ ହେତୁ ଧାର୍ମିକତା ପ୍ରାପ୍ତିର ଆଶାରେ ଅପେକ୍ଷା କରୁଅଛୁ।

6ଯେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟସାଧକ ବିଶ୍ୱାସ ହିଁ ସାର।

7ତୁମ୍ଭେମାନେ ତ ଉତ୍ତମ ରୂପେ ଦୌଡ଼ୁଥିଲ; କିଏ ତୁମ୍ଭମାନଙ୍କୁ ବାଧା ଦେଲା ଯେ, ସତ୍ୟର ଅବାଧ୍ୟ ହୋଇଅଛ?

8ତୁମ୍ଭମାନଙ୍କ ଆହ୍ୱାନକର୍ତ୍ତା ଈଶ୍ବରଙ୍କଠାରୁ ଏହି ପ୍ରବର୍ତ୍ତନା ଆସି ନାହିଁ।

9ଅଳ୍ପ ଖମୀର ପିଣ୍ଡୁଳାଯାକ ଖମୀରମୟ କରିଦିଏ।

10ତୁମ୍ଭେମାନେ ଯେ ଅନ୍ୟ ପ୍ରକାର ବିଚାର କରିବ ନାହିଁ, ଏହା ମୁଁ ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଦୃଢ଼ ବିଶ୍ୱାସ କରୁଅଛି; କିନ୍ତୁ ଯେ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛି, ସେ ଯେକେହି ହେଉ, ଆପଣାର ଦଣ୍ଡ ବହନ କରିବ।

11କିନ୍ତୁ ହେ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତ ବିଧି ପ୍ରଚାର କରୁଅଛି, ତେବେ କାହିଁକି ମୁଁ ଏଯାଏଁ ତାଡ଼ନା ଭୋଗ କରୁଅଛି? ତାହାହେଲେ କ୍ରୁଶ ତ ଆଉ ବିଘ୍ନର କାରଣ ନୁହେଁ।

12ଯେଉଁମାନେ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି, ସେମାନେ ସମ୍ପୂର୍ଣ୍ଣ ଅଙ୍ଗହୀନ ହେଲେ, ଭଲ ହୁଅନ୍ତା।

13କାରଣ, ହେ ଭାଇମାନେ, ତୁମ୍ଭେମାନେ ସ୍ୱାଧୀନତା ନିମନ୍ତେ ଆହୂତ ହୋଇଅଛ; କେବଳ ତୁମ୍ଭର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପରର ସେବା କର।

14କାରଣ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ, “ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।”

15କିନ୍ତୁ ତୁମ୍ଭେମାନେ ଯଦି କାମୁଡ଼ାକାମୁଡ଼ି ହୋଇ ପରସ୍ପରକୁ ଗ୍ରାସ କର, ତେବେ ସାବଧାନ, ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ।

16ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହାହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ।

17କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ, ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ, ଯେଣୁ ଏହି ଦୁଇ ପରସ୍ପରର ବିପରୀତ; ଫଳତଃ ତୁମ୍ଭେମାନେ ଯାହା ଯାହା ଇଚ୍ଛା କର, ସେହିସବୁ କରିପାର ନାହିଁ।

18କିନ୍ତୁ ଯଦି ତୁମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ।

19ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା, ବ୍ୟଭିଚାର, ଅଶୁଚିତା

20କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା,

21ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ।

22କିନ୍ତୁ ପବିତ୍ର ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁତା, ପରୋପକାରିତା,

23ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ; ଏହି ସମସ୍ତ ବିରୁଦ୍ଧରେ କୌଣସି ମୋଶାଙ୍କ ବ୍ୟବସ୍ଥା ନାହିଁ।

24ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି।

25ଯଦି ଆମ୍ଭେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ କରିଅଛୁ, ତେବେ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ।

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
/div>