ଗୀତସଂହିତା 137:1-9 IRVOry - Bible AI

1ଆମ୍ଭେମାନେ ବାବିଲୀୟ ନଦୀମାନର ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସେଠାରେ ବସିଲୁ ଓ ରୋଦନ କଲୁ।

2ଆମ୍ଭେମାନେ ସେଠାସ୍ଥିତ ବାଇଶୀ ବୃକ୍ଷରେ ଆପଣା ଆପଣା ବୀଣା ଟଙ୍ଗାଇ ରଖିଲୁ।

3କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭମାନଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ, ପୁଣି, ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ ଆନନ୍ଦ-ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ, “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”

4ଆମ୍ଭେମାନେ ବିଦେଶରେ କିପରି କରି ସଦାପ୍ରଭୁଙ୍କ ଗୀତ ଗାନ କରିବା?

5ହେ ଯିରୂଶାଲମ, ଯଦି ମୁଁ ତୁମ୍ଭକୁ ପାସୋରେ, ତେବେ ମୋହର ଦକ୍ଷିଣ ହସ୍ତ ଆପଣା ବଜାଇବା କୌଶଳ ପାସୋରି ଯାଉ।

6ଯଦି ମୁଁ ତୁମ୍ଭଙ୍କୁ ସ୍ମରଣ ନ କରେ, ଯଦି ମୁଁ ଯିରୂଶାଲମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ, ତେବେ ମୋହର ଜିହ୍ୱା ମୋʼ ମୁଖର ତାଳୁରେ ଲାଗି ରହୁ।+ 137:6 ଜିହ୍ୱା ମୋʼ ମୁଖର ତାଳୁରେ ଲାଗି ରହୁ। ମୁଁ ଆହୁରି ସଂଗୀତ ମଧ୍ୟ ଗାନ କରି ପାରିବି ନାହିଁ

7ହେ ସଦାପ୍ରଭୋ, ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଯିରୂଶାଲମର ଦିନ ସ୍ମରଣ କର; ସେମାନେ କହିଲେ, “ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ ଉତ୍ପାଟନ କର।”

8ଆଗୋ ବିନାଶ୍ୟ ବାବିଲୀୟ କନ୍ୟେ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେରୂପ କରିଅଛ, ତୁମ୍ଭକୁ ସେହିରୂପ ପ୍ରତିଫଳ ଯେ ଦେବ, ସେ ଧନ୍ୟ।

9ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି ଶୈଳ ଉପରେ କଚାଡ଼ିବ, ସେ ଧନ୍ୟ।