ଗୀତସଂହିତା 147:1-20 IRVOry - Bible AI

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। କାରଣ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାର ଉତ୍ତମ; ଯେହେତୁ ତାହା ମନୋହର ଓ ପ୍ରଶଂସା ଶୋଭନୀୟ।

2ସଦାପ୍ରଭୁ ଯିରୂଶାଲମକୁ ଗଢ଼ନ୍ତି; ସେ ଇସ୍ରାଏଲର ଦୂରୀକୃତ ଲୋକମାନଙ୍କୁ ସଂଗ୍ରହ କରନ୍ତି।

3ସେ ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି।

4ସେ ତାରାଗଣର ସଂଖ୍ୟା କରନ୍ତି; ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି।

5ଆମ୍ଭମାନଙ୍କର ପ୍ରଭୁ ମହାନ ଓ ଅତିଶୟ ଶକ୍ତିମାନ; ତାହାଙ୍କର ବୁଦ୍ଧି ଅସୀମ।

6ସଦାପ୍ରଭୁ ନମ୍ର ଲୋକଙ୍କୁ ଧରି ରଖନ୍ତି; ସେ ଦୁଷ୍ଟମାନଙ୍କୁ ଭୂମିସାତ୍‍ କରନ୍ତି।

7ଧନ୍ୟବାଦ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; ବୀଣା ଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା ଗାନ କର;

8ସେ ଆକାଶକୁ ମେଘମାଳାରେ ଆଚ୍ଛନ୍ନ କରନ୍ତି, ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି, ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।

9ସେ ପଶୁକୁ ତାହାର ଆହାର ଦିଅନ୍ତି ଓ ରାବନ୍ତା ଡାମରା କାଉ ଛୁଆମାନଙ୍କୁ ଆହାର ଦିଅନ୍ତି।

10ସେ ଅଶ୍ୱର ବଳରେ ସନ୍ତୁଷ୍ଟ ନୁହନ୍ତି; ସେ ମନୁଷ୍ୟର ଚରଣରେ ତୁଷ୍ଟ ନୁହନ୍ତି।

11ସଦାପ୍ରଭୁ ଆପଣା ଭୟକାରୀମାନଙ୍କଠାରେ ଓ ତାହାଙ୍କ ଦୟାରେ ଭରସାକାରୀମାନଙ୍କଠାରେ ତୁଷ୍ଟ ଅଟନ୍ତି।

12ହେ ଯିରୂଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର; ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର;

13କାରଣ ସେ ତୁମ୍ଭ ଦ୍ୱାରର ଅର୍ଗଳସବୁ ଦୃଢ଼ କରିଅଛନ୍ତି; ସେ ତୁମ୍ଭ ମଧ୍ୟବର୍ତ୍ତୀ ତୁମ୍ଭ ସନ୍ତାନଗଣକୁ ଆଶୀର୍ବାଦ କରିଅଛନ୍ତି।

14ସେ ତୁମ୍ଭ ସୀମା ମଧ୍ୟରେ ଶାନ୍ତି ସ୍ଥାପନ କରନ୍ତି; ସେ ସର୍ବୋତ୍ତମ ଗହମରେ ତୁମ୍ଭକୁ ତୃପ୍ତ କରନ୍ତି।

15ସେ ପୃଥିବୀରେ ଆପଣା ଆଜ୍ଞା ପ୍ରେରଣ କରନ୍ତି; ତାହାଙ୍କ ବାକ୍ୟ ଅତି ଶୀଘ୍ର ଦୌଡ଼ଇ।

16ସେ ମେଷଲୋମ ପରି ତୁଷାର ଦିଅନ୍ତି; ସେ ଭସ୍ମ ତୁଲ୍ୟ ନୀହାର ବିଞ୍ଚି ଦିଅନ୍ତି।

17ସେ ଖଣ୍ଡ ଖଣ୍ଡ ଆହାର ପରି ବରଫ ପକାଇ ଦିଅନ୍ତି; ତାହାଙ୍କ ଶୀତ ଆଗରେ କିଏ ଠିଆ ହୋଇପାରେ?

18ସେ ଆପଣା ବାକ୍ୟ ପଠାଇ ସେସବୁ ତରଳାଇ ପକାନ୍ତି; ସେ ଆପଣା ବାୟୁ ବହାଇଲେ ଜଳ ପ୍ରବାହିତ ହୁଏ।

19ସେ ଯାକୁବ ପ୍ରତି ଆପଣା ବାକ୍ୟ, ଇସ୍ରାଏଲ ପ୍ରତି ଆପଣା ବିଧି ଓ ଶାସନ ପ୍ରକାଶ କରନ୍ତି।

20ସେ କୌଣସି ଗୋଷ୍ଠୀ ପ୍ରତି ଏପରି ବ୍ୟବହାର କରି ନାହାନ୍ତି; ତାହାଙ୍କ ଶାସନ ବିଷୟ କହିବାକୁ ଗଲେ, ସେମାନେ ତାହା ଜାଣି ନାହାନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

>