ଗୀତସଂହିତା 148:1-14 IRVOry - Bible AI

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେମାନେ ଆକାଶମଣ୍ଡଳରୁ ତାହାଙ୍କର ପ୍ରଶଂସା କର; ଊର୍ଦ୍ଧ୍ୱ ସ୍ଥାନରେ ତାହାଙ୍କର ପ୍ରଶଂସା କର।

2ହେ ତାହାଙ୍କର ଦୂତ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; ହେ ତାହାଙ୍କର ସୈନ୍ୟ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।

3ହେ ସୂର୍ଯ୍ୟ ଓ ଚନ୍ଦ୍ର, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର। ହେ ଦୀପ୍ତିମୟ ତାରା ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।

4ହେ ସ୍ୱର୍ଗର ସ୍ୱର୍ଗ ଓ ଗଗନୋପରିସ୍ଥ ଜଳସମୂହ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।

5ଏମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; କାରଣ ସେ ଆଜ୍ଞା କରନ୍ତେ, ଏମାନେ ସୃଷ୍ଟ ହେଲେ।

6ଆହୁରି, ସେ ସଦାକାଳ ପାଇଁ ଏମାନଙ୍କୁ ସ୍ଥାପନ କରିଅଛନ୍ତି; ସେ ନିୟମ କରିଅଛନ୍ତି, ତାହା ଲୁପ୍ତ ହେବ ନାହିଁ।

7ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ତିମିଙ୍ଗିଳ ଓ ସକଳ ବାରିଧି;

8ଅଗ୍ନି+ 148:8 ଅଗ୍ନି ବିଜୁଳି ଓ ଶିଳା, ହିମ ଓ ବାଷ୍ପ; ତାହାଙ୍କ ବାକ୍ୟସାଧକ ପ୍ରଚଣ୍ଡ ବାୟୁ;

9ପର୍ବତ ଓ ସକଳ ଉପପର୍ବତ; ଫଳବାନ ବୃକ୍ଷ ଓ ସକଳ ଏରସ ବୃକ୍ଷ;

10ବନ୍ୟ ଓ ସକଳ ଗ୍ରାମ୍ୟ ପଶୁ; ଉରୋଗାମୀ ଓ ଉଡ୍ଡୀୟମାନ ପକ୍ଷୀଗଣ;

11ପୃଥିବୀର ରାଜାଗଣ ଓ ସକଳ ଗୋଷ୍ଠୀ; ଅଧିପତିଗଣ ଓ ପୃଥିବୀର ସକଳ ବିଚାରକର୍ତ୍ତା।

12ଯୁବକ ଓ ଯୁବତୀମାନେ; ବୃଦ୍ଧ ଓ ବାଳକମାନେ;

13ସେସମସ୍ତେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; କାରଣ କେବଳ ତାହାଙ୍କ ନାମ ଉନ୍ନତ ଅଟେ; ତାହାଙ୍କର ମହିମା ପୃଥିବୀ ଓ ସ୍ୱର୍ଗର ଉପରିସ୍ଥ।

14ସେ ଆପଣା ଲୋକମାନଙ୍କ ଶୃଙ୍ଗ ଉଠାଇଅଛନ୍ତି, ତାହା ତାହାଙ୍କ ସଦ୍‍ଭକ୍ତମାନଙ୍କର ଓ ତାହାଙ୍କ ନିକଟବର୍ତ୍ତୀ ଇସ୍ରାଏଲ-ସନ୍ତାନଗଣର ପ୍ରଶଂସାର ବିଷୟ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

>