ଗୀତସଂହିତା 91:1-16 IRVOry - Bible AI

1ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ।

2ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, “ସେ ମୋହର ଆଶ୍ରୟ ଓ ମୋହର ଦୁର୍ଗ; ମୋହର ପରମେଶ୍ୱର, ମୁଁ ତାହାଙ୍କଠାରେ ନିର୍ଭର ରଖେ।”

3କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।

4ସେ ଆପଣା ପକ୍ଷରେ ତୁମ୍ଭକୁ ଆବୋରିବେ ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ; ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ।

5ତୁମ୍ଭେ ରାତ୍ରିର ତ୍ରାସ, କିଅବା ଦିବସର ଉଡ଼ନ୍ତା ତୀର,

6ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ।

7ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ; ମାତ୍ର ତାହା ତୁମ୍ଭ କତିକି ଆସିବ ନାହିଁ।

8ତୁମ୍ଭେ କେବଳ ସ୍ୱଚକ୍ଷୁରେ ନିରୀକ୍ଷଣ କରିବ ଓ ଦୁଷ୍ଟମାନଙ୍କର ପ୍ରତିଫଳ ଦେଖିବ।

9କାରଣ ହେ ସଦାପ୍ରଭୋ, ତୁମ୍ଭେ ମୋହର ଆଶ୍ରୟ। ସର୍ବୋପରିସ୍ଥଙ୍କୁ ତୁମ୍ଭେ ଆପଣା ବାସସ୍ଥାନ କରିଅଛ।

10ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, କିଅବା କୌଣସି ମାରୀ ତୁମ୍ଭ ତମ୍ବୁ ନିକଟକୁ ଆସିବ ନାହିଁ।

11କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ।

12ତୁମ୍ଭ ଚରଣ ଯେପରି ପଥରରେ ନ ବାଜିବ, ଏଥିପାଇଁ ସେମାନେ ସ୍ୱହସ୍ତରେ ତୁମ୍ଭକୁ ବହିବେ।

13ତୁମ୍ଭେ ସିଂହ ଓ କାଳସର୍ପ ଉପରେ ଚାଲିବ; ତୁମ୍ଭେ ଯୁବା ସିଂହ ଓ ସର୍ପକୁ ପାଦ ତଳେ ଦଳିବ।

14ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା; ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା।

15ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ, ଆମ୍ଭେ ତାହାକୁ ଉତ୍ତର ଦେବା; ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା; ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା।

16ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା।