ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 1:1-25 IRVOry - Bible AI

1ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଏବଂ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନଙ୍କୁ,

2ପୁଣି, ଭଉଣୀ ଆପ୍ପିୟା ଏବଂ ଆମ୍ଭମାନଙ୍କ ସହ-ସୈନିକ ଆର୍ଖିପ୍ପ ଓ ତୁମ୍ଭ ଗୃହସ୍ଥିତ ମଣ୍ଡଳୀ ନିକଟକୁ ପତ୍ର ଆଉ ଭ୍ରାତା ତୀମଥିଙ୍କ ଅଭିବାଦନ;

3ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।

4ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ବିଷୟ ଶୁଣି

5ମୁଁ ମୋହର ପ୍ରାର୍ଥନାରେ ତୁମ୍ଭର ନାମ ଉଲ୍ଲେଖ କରି ସର୍ବଦା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି,

6ଯେପରି ତୁମ୍ଭ ବିଶ୍ୱାସର ସହଭାଗିତା, ଆମ୍ଭମାନଙ୍କୁ ଦିଆଯାଇଥିବା ସମସ୍ତ ଉତ୍ତମ ବିଷୟ ସମ୍ବନ୍ଧୀୟ ଜ୍ଞାନ ଦ୍ୱାରା ଖ୍ରୀଷ୍ଟଙ୍କ ପକ୍ଷରେ କାର୍ଯ୍ୟସାଧକ ହୁଏ।

7କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି।

8ଅତଏବ ଯାହା ଉପଯୁକ୍ତ, ସେ ସମ୍ବନ୍ଧରେ ତୁମ୍ଭକୁ ଆଦେଶ ଦେବା ପାଇଁ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଯଦ୍ୟପି ମୋହର ସମ୍ପୂର୍ଣ୍ଣ ସାହସ ଅଛି,

9ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ,

10ମୋହର ଏପରି ବନ୍ଧନ ଅବସ୍ଥାରେ ମୋହର ଆତ୍ମିକ ବତ୍ସ ଅନୀସିମ ନିମନ୍ତେ ତୁମ୍ଭକୁ ଅନୁରୋଧ କରୁଅଛି:

11ସେ ପୂର୍ବରେ ତୁମ୍ଭ ନିମନ୍ତେ ଅକର୍ମଣ୍ୟ ଥିଲା, କିନ୍ତୁ ଏବେ ତୁମ୍ଭର ଓ ମୋହର ଉଭୟଙ୍କର ଉପକାରୀ ହୋଇଅଛି,

12ସେ ତ ମୋହର ହୃଦୟ ସ୍ୱରୂପ; ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି।

13ସୁସମାଚାର ନିମନ୍ତେ ବନ୍ଧନ ଅବସ୍ଥାରେ ତାହାକୁ ତୁମ୍ଭ ସ୍ଥାନରେ ମୋହର ସେବା କରିବା ପାଇଁ ପାଖରେ ରଖିବାକୁ ମୋହର ମନ ହେଉଥିଲା,

14କିନ୍ତୁ ତୁମ୍ଭର ସମ୍ମତି ନ ନେଇ ମୁଁ କିଛି କରିବାକୁ ଇଚ୍ଛା କଲି ନାହିଁ, ଯେପରି ତୁମ୍ଭର ଉତ୍ତମ କାର୍ଯ୍ୟ ବାଧ୍ୟ ବାଧକତାରେ କଲା ପରି ନ ହୋଇ ସ୍ୱଚ୍ଛନ୍ଦ ମନରେ ହେବ।

15କାରଣ ହୋଇପାରେ, ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ୱରୂପେ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ, ଅର୍ଥାତ୍‍, ଜଣେ ପ୍ରିୟ ଭ୍ରାତା ସ୍ୱରୂପେ ଅନନ୍ତକାଳ ପାଇ ପାର, ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା;

16ବିଶେଷ ଭାବରେ ସେ ମୋହର ଜଣେ ପ୍ରିୟ ଭାଇ, ଅତଏବ, ପ୍ରଭୁଙ୍କଠାରେ ଓ ଶାରୀରିକ ଭାବରେ ସେ ତୁମ୍ଭ ଓ ମୋ ପ୍ରତି କେତେ ଅଧିକ ପ୍ରିୟ ନ ହେବ।

17ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲା ପରି ତାହାକୁ ଗ୍ରହଣ କର।

18ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ କିମ୍ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋʼ ହିସାବରେ ଲେଖିରଖ;

19ମୁଁ ପାଉଲ ସ୍ୱହସ୍ତରେ ଏହା ଲେଖି ଦେଉଅଛି, ମୁଁ ତାହା ପରିଶୋଧ କରିବି। ତୁମ୍ଭେ ନିଜେ ଯେ ମୋʼ ନିକଟରେ ଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ।

20ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ୱାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ୱାସନା ଦିଅ।

21ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ୱାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି; ମୁଁ ଜାଣେ ଯେ, ମୁଁ ଯାହା କହୁଅଛି, ତୁମ୍ଭେ ତାʼ ଠାରୁ ଅଧିକ ମଧ୍ୟ କରିବ।

22ସେଥି ସଙ୍ଗେ ସଙ୍ଗେ ମୋହର ରହିବା ସ୍ଥାନ ମଧ୍ୟ ପ୍ରସ୍ତୁତ କରି ରଖ, କାରଣ ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ୱାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି।

23ଖ୍ରୀଷ୍ଟ ଯୀଶୁଙ୍କ ହେତୁ ମୋହର ସହବନ୍ଦୀ ଏପାଫ୍ରା

24ଏବଂ ମୋହର ସହକର୍ମୀମାନେ ଯେ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ, ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।

25ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ। ଆମେନ୍।

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
iv>