ଯିରିମୀୟ 22:1-30 IRVOry - Bible AI

1ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯିହୁଦାର ରାଜଗୃହକୁ ଯାଇ ସେଠାରେ ଏହି କଥା କୁହ।

2ଯଥା, ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜନ୍‍, ତୁମ୍ଭେ ତୁମ୍ଭର ଦାସଗଣ ଓ ଏହିସବୁ ଦ୍ୱାର ଦେଇ ପ୍ରବେଶକାରୀ ତୁମ୍ଭର ଲୋକମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ।

3ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ନ୍ୟାୟବିଚାର ଓ ଧାର୍ମିକତା ବ୍ୟବହାର କର ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର; ପୁଣି, ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ଓ ଉପଦ୍ରବ କର ନାହିଁ, କିଅବା ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ।

4କାରଣ ଯଦି ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କରିବ, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେ, ତାହାର ଦାସଗଣ ଓ ଲୋକମାନେ ଏହି ଗୃହର ଦ୍ୱାର ଦେଇ ପ୍ରବେଶ କରିବେ।

5ମାତ୍ର ଯଦି ତୁମ୍ଭେମାନେ ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରୁଅଛୁ ଯେ, ଏହି ଗୃହ ଉଚ୍ଛିନ୍ନ ହେବ।

6କାରଣ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭ ପ୍ରତି ଗିଲୀୟଦ ଓ ଲିବାନୋନର ଶୃଙ୍ଗ ସ୍ୱରୂପ ଅଟ; ତଥାପି ଆମ୍ଭେ ନିଶ୍ଚୟ ତୁମ୍ଭକୁ ପ୍ରାନ୍ତର ଓ ନିବାସୀବିହୀନ ନଗରସମୂହର ସ୍ୱରୂପ କରିବା।

7ପୁଣି, ତୁମ୍ଭ ବିରୁଦ୍ଧରେ ବିନାଶକଗଣକୁ ପ୍ରତ୍ୟେକର ଅସ୍ତ୍ର ସହିତ ପ୍ରସ୍ତୁତ କରିବା; ତହିଁରେ ସେମାନେ ତୁମ୍ଭର ଉତ୍ତମ ଏରସ ବୃକ୍ଷସବୁ କାଟି ଅଗ୍ନିରେ ପକାଇଦେବେ।

8ଆଉ, ଅନେକ ଦେଶୀୟ ଲୋକ ଏହି ନଗର ନିକଟ ଦେଇ ଗତାୟାତ କରୁ କରୁ ପ୍ରତ୍ୟେକେ, ଆପଣା ଆପଣା ସଙ୍ଗୀକୁ କହିବେ, ‘ସଦାପ୍ରଭୁ କି ନିମନ୍ତେ ଏହି ବୃହତ ନଗରକୁ ଏପରି କଲେ?’

9ତହିଁରେ ସେମାନେ ଉତ୍ତର କରିବେ, ‘କାରଣ ଏହି, ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିୟମ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ପ୍ରଣାମ ଓ ସେବା କଲେ।’”

10ତୁମ୍ଭେମାନେ ମୃତ ଲୋକ ସକାଶେ ରୋଦନ କର ନାହିଁ, କିଅବା ତାହା ସକାଶେ ବିଳାପ କର ନାହିଁ; ମାତ୍ର ପ୍ରସ୍ଥାନ କରିବା ଲୋକ ନିମନ୍ତେ ଅତିଶୟ କ୍ରନ୍ଦନ କର; କାରଣ ସେ ଆଉ ଫେରି ଆସିବ ନାହିଁ, କିଅବା ଆପଣା ଜନ୍ମ ଦେଶ ଆଉ ଦେଖିବ ନାହିଁ। ଯୋଶୀୟର ପୁତ୍ର ପ୍ରତି ବାର୍ତ୍ତା

11ଯେହେତୁ ଯିହୁଦାର ରାଜା ଯୋଶୀୟର ପୁତ୍ର ଶଲ୍ଲୁମ୍‍ ଯେ ଆପଣା ପିତା ଯୋଶୀୟର ପଦରେ ରାଜତ୍ୱ କଲା ଓ ଏହି ସ୍ଥାନରୁ ବାହାରିଗଲା, ତାହାର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;

12“ସେ ଏହି ସ୍ଥାନକୁ ଆଉ ଫେରି ଆସିବ ନାହିଁ; ମାତ୍ର ସେ ଯେଉଁ ସ୍ଥାନକୁ ବନ୍ଦୀତ୍ୱ ଅବସ୍ଥାରେ ନୀତ ହୋଇଅଛି, ସେହି ସ୍ଥାନରେ ମରିବ ଓ ସେ ଏହି ଦେଶ ଆଉ ଦେଖିବ ନାହିଁ।”

13“ଯେଉଁ ଲୋକ ଅଧର୍ମରେ ଆପଣା ଗୃହ ଓ ଅନ୍ୟାୟରେ ଆପଣା କୋଠରିମାନ ନିର୍ମାଣ କରେ; ଯେ ବିନା ବେତନରେ ଆପଣା ପ୍ରତିବାସୀକୁ ସେବା କରାଏ ଓ ତାହାର ବେତନ ତାହାକୁ ନ ଦିଏ;

14ଯେ କହେ, ‘ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରିମାନ ନିର୍ମାଣ କରିବା’ ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ରକ୍ତବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର!

15ତୁମ୍ଭେ ଏରସ କାଷ୍ଠ ବିଷୟରେ ବଡ଼ ହେବା ପାଇଁ ଯତ୍ନ କରିବା ହେତୁରୁ କି ରାଜତ୍ୱ କରିବ? ତୁମ୍ଭର ପିତା କି ଭୋଜନପାନ କରି ବିଚାର ଓ ଧର୍ମାଚରଣ କଲା ନାହିଁ? ତହିଁରେ ତାହାର ମଙ୍ଗଳ ହେଲା।

16ସେ ଦରିଦ୍ର ଓ ଦୀନହୀନମାନଙ୍କ ଗୁହାରି ବିଚାର କଲା, ତହିଁରେ ମଙ୍ଗଳ ହେଲା। ସଦାପ୍ରଭୁ କହନ୍ତି, ଏହା କି ଆମ୍ଭଙ୍କୁ ଜ୍ଞାତ ହେବାର ନୁହେଁ?

17ମାତ୍ର ତୁମ୍ଭର ଚକ୍ଷୁ ଓ ତୁମ୍ଭର ଅନ୍ତଃକରଣ, ଆପଣାର ଲୋଭ, ନିର୍ଦ୍ଦୋଷର ରକ୍ତପାତ, ଉପଦ୍ରବ ଓ ଦୌରାତ୍ମ୍ୟ କରିବା ଛଡ଼ା ଆଉ କାହିଁରେ ନାହିଁ।”

18ଏଥିପାଇଁ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; “ଲୋକମାନେ, ହାୟ, ଆମ୍ଭର ଭାଇ! ଅବା ହାୟ, ଭଉଣୀ! କହି ତାହା ପାଇଁ ବିଳାପ କରିବେ ନାହିଁ; ‘ହାୟ, ପ୍ରଭୁ!’ ଅବା ‘ହାୟ, ତାଙ୍କର ମହିମା!’ ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ।

19ତାହାର କବର ଗଧର କବର ତୁଲ୍ୟ ହେବ, ସେ ଘୋଷଡ଼ା ଯାଇ ଯିରୂଶାଲମର ଦ୍ୱାର ବାହାରେ ପକାଯିବ।”

20“ତୁମ୍ଭେ ଲିବାନୋନକୁ ଯାଇ କ୍ରନ୍ଦନ କର; ତୁମ୍ଭେ ବାଶନରେ ଉଚ୍ଚସ୍ୱର କର ଓ ଅବାରୀମ୍‍ରୁ କ୍ରନ୍ଦନ କର; କାରଣ ତୁମ୍ଭର ପ୍ରେମକାରୀ ସମସ୍ତେ ବିନଷ୍ଟ ହୋଇଅଛନ୍ତି।

21ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, ‘ମୁଁ ଶୁଣିବି ନାହିଁ;’ ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି।

22ବାୟୁ ତୁମ୍ଭର ସମସ୍ତ ମେଷପାଳକଙ୍କୁ ଚରାଇବ ଓ ତୁମ୍ଭର ପ୍ରେମକାରୀମାନେ ବନ୍ଦୀତ୍ୱ ସ୍ଥାନକୁ ଯିବେ; ସେହି ସମୟରେ ତୁମ୍ଭେ ଆପଣାର ସକଳ ଦୁଷ୍ଟତା ସକାଶୁ ନିଶ୍ଚୟ ଲଜ୍ଜିତା ଓ ବ୍ୟାକୁଳିତା ହେବ।

23ହେ ଲିବାନୋନ ନିବାସିନୀ, ଏରସ ବୃକ୍ଷ ବନରେ ବସା କରିଅଛ ଯେ ତୁମ୍ଭେ, ଯେତେବେଳେ ପ୍ରସବବେଦନା ତୁଲ୍ୟ ତୁମ୍ଭର ବେଦନା ଉପସ୍ଥିତ ହେବ, ସେତେବେଳେ ତୁମ୍ଭର ଅବସ୍ଥା ବଡ଼ ଶୋଚନୀୟ ହେବ।” ଯିହୋୟାଖୀନ୍‍ ପ୍ରତି ଈଶ୍ୱରଙ୍କ ଦଣ୍ଡାଜ୍ଞା

24“ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍‍ର ପୁତ୍ର କନୀୟ ଆମ୍ଭ ଦକ୍ଷିଣ ହସ୍ତରେ ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା;

25ପୁଣି, ଯେଉଁମାନେ ତୁମ୍ଭର ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ, ଅର୍ଥାତ୍‍, ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଓ କଲ୍‍ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା।

26ଆଉ, ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ, ଯେଉଁ ଦେଶରେ ତୁମ୍ଭମାନଙ୍କର ଜନ୍ମ ହୋଇ ନ ଥିଲା, ଏପରି ଏକ ଦେଶରେ ତୁମ୍ଭମାନଙ୍କୁ ନିକ୍ଷେପ କରିବା। ଆଉ, ସେଠାରେ ତୁମ୍ଭେମାନେ ମରିବ।

27ମାତ୍ର ଯେଉଁ ଦେଶକୁ ଫେରି ଆସିବା ପାଇଁ ସେମାନଙ୍କର ପ୍ରାଣ ଅତିଶୟ ଲାଳସା କରେ, ସେ ଦେଶକୁ ସେମାନେ ଫେରି ଆସିବେ ନାହିଁ।”

28ଏହି କନୀୟ କି ତୁଚ୍ଛୀକୃତ ଭଗ୍ନ ପାତ୍ର? ସେ କି ଅପ୍ରୀତିକର ପାତ୍ର? ସେ ଓ ତାହାର ବଂଶ କାହିଁକି ଦୂରୀକୃତ ହୋଇ ସେମାନଙ୍କ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ।

29ହେ ପୃଥିବୀ, ପୃଥିବୀ, ପୃଥିବୀ, ସଦାପ୍ରଭୁଙ୍କର ବାକ୍ୟ ଶୁଣ।

30ସଦାପ୍ରଭୁ ଏହି କଥା କହନ୍ତି, “ଏହି ମନୁଷ୍ୟ ନିଃସନ୍ତାନ, ଏହି ପୁରୁଷର ଆପଣା ଜୀବନ ମଧ୍ୟରେ ଉନ୍ନତି ହେବ ନାହିଁ ବୋଲି ତୁମ୍ଭେମାନେ ଲେଖ; କାରଣ ତାହାର ବଂଶୀୟ କୌଣସି ଲୋକ ଦାଉଦଙ୍କ ସିଂହାସନୋପବିଷ୍ଟ ହୋଇ ଓ ଯିହୁଦାର ଉପରେ ଆଉ କର୍ତ୍ତୃତ୍ୱ କରି ସମୃଦ୍ଧି ହେବ ନାହିଁ।”

div>