ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 24:1-9 IRVOry - Bible AI

1ବାବିଲର ରାଜା ନବୂଖଦ୍‍ନିତ୍ସର, ଯିହୋୟାକୀମ୍‍ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀନ୍‍କୁ ଓ ଯିହୁଦାର ଅଧିପତିମାନଙ୍କୁ, ଶିଳ୍ପକର ଓ କର୍ମକାରକମାନଙ୍କ ସହିତ ଯିରୂଶାଲମରୁ ବନ୍ଦୀ କରି ବାବିଲକୁ ନେଇଗଲା ଉତ୍ତାରେ ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ, ଆଉ ଦେଖ, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ବିରି ଫଳ ରଖାଯାଇଅଛି।

2ଏକ ଡାଲାରେ ଆଦ୍ୟପକ୍ୱ ଡିମ୍ବିରି ଫଳ ତୁଲ୍ୟ ଅତି ଉତ୍ତମ ଡିମ୍ବିରି ଥିଲା; ପୁଣି, ଅନ୍ୟ ଡାଲାରେ ଅତି ମନ୍ଦ ଡିମ୍ବିରି ଫଳ ଥିଲା, ସେସବୁ ଏଡ଼େ ମନ୍ଦ ଯେ, ଭୋଜନ କରାଯାଇ ନ ପାରେ।

3ତେବେ ସଦାପ୍ରଭୁ ମୋତେ କହିଲେ, “ହେ ଯିରିମୀୟ, ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ଡିମ୍ବିରି ଫଳ, ଉତ୍ତମ ଡିମ୍ବିରି ଅତି ଉତ୍ତମ ଓ ମନ୍ଦ ଡିମ୍ବିରି ଅତି ମନ୍ଦ, ସେସବୁ ଏଡ଼େ ମନ୍ଦ ଯେ, ଭୋଜନ କରାଯାଇ ନ ପାରେ।”

4ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା।

5“ଯଥା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ଯେଉଁ ନିର୍ବାସିତ ଯିହୁଦୀୟମାନଙ୍କୁ ଏହି ସ୍ଥାନରୁ କଲ୍‍ଦୀୟମାନଙ୍କର ଦେଶକୁ ପଠାଇଅଛୁ, ସେମାନଙ୍କର ମଙ୍ଗଳ ନିମନ୍ତେ ଆମ୍ଭେ ସେମାନଙ୍କୁ ଏହି ଉତ୍ତମ ଡିମ୍ବିରି ଫଳ ତୁଲ୍ୟ ଜ୍ଞାନ କରିବା।

6କାରଣ ଆମ୍ଭେ ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ଆପଣା ଦୃଷ୍ଟି ରଖିବା ଓ ସେମାନଙ୍କୁ ପୁନର୍ବାର ଏହି ଦେଶକୁ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା ଓ ଭଗ୍ନ କରିବା ନାହିଁ; ଆମ୍ଭେ ସେମାନଙ୍କୁ ରୋପଣ କରିବା ଓ ଉତ୍ପାଟନ କରିବା ନାହିଁ।

7ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଜାଣିବାର ମନ ସେମାନଙ୍କୁ ଦେବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା; କାରଣ ସେମାନେ ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସିବେ।

8ଆଉ, ଯେପରି ସେହି ମନ୍ଦ ଡିମ୍ବିରି ଫଳ ଏଡ଼େ ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ସେପରି ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚୟ ଯିହୁଦାର ରାଜା ସିଦିକୀୟକୁ, ତାହାର ଅଧିପତିଗଣକୁ ଓ ଯିରୂଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିସର ଦେଶରେ ବାସ କରନ୍ତି, ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା।

9ଆମ୍ଭେ ସେମାନଙ୍କର ଅମଙ୍ଗଳ ନିମନ୍ତେ ପୃଥିବୀର ସକଳ ରାଜ୍ୟ ମଧ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷିପ୍ତ ହେବା ପାଇଁ, ପୁଣି ଯେସବୁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ିଦେବା, ସେହି ସବୁ ସ୍ଥାନରେ ଦୁର୍ନାମ, ପ୍ରବାଦ, ଉପହାସ ଓ ଅଭିଶାପର ପାତ୍ର ହେବା ପାଇଁ ଆମ୍ଭେ ସେମାନଙ୍କୁ ସମର୍ପି ଦେବା।

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.