ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 34:1-21 IRVOry - Bible AI

1ବାବିଲର ରାଜା ନବୂଖଦ୍‍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଓ ତାହାର କର୍ତ୍ତୃତ୍ୱାଧୀନ ଭୂଖଣ୍ଡର ସମସ୍ତ ରାଜ୍ୟ ଆଉ ସମସ୍ତ ଗୋଷ୍ଠୀ ଯିରୂଶାଲମ ଓ ତହିଁର ନଗରସମୂହର ବିରୁଦ୍ଧରେ ଯୁଦ୍ଧ କରୁଥିବା ସମୟରେ, ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା:

2“ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକୀୟର ସଙ୍ଗେ ଆଳାପ କରି ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲ ରାଜାର ହସ୍ତରେ ଏହି ନଗର ସମର୍ପଣ କରିବା, ତହିଁରେ ସେ ଅଗ୍ନିରେ ତାହା ଦଗ୍ଧ କରିବ।

3ପୁଣି, ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ; ପୁଣି, ତୁମ୍ଭର ଚକ୍ଷୁ ବାବିଲ ରାଜାର ଚକ୍ଷୁକୁ ଦେଖିବ ଓ ସେ ସମ୍ମୁଖାସମ୍ମୁଖୀ ହୋଇ ତୁମ୍ଭ ସଙ୍ଗେ କଥା କହିବ ଓ ତୁମ୍ଭେ ବାବିଲକୁ ଯିବ।

4ତଥାପି ହେ ସିଦିକୀୟ ଯିହୁଦାର ରାଜନ୍‍, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ସଦାପ୍ରଭୁ ତୁମ୍ଭ ବିଷୟରେ ଏହି କଥା କହନ୍ତି, ତୁମ୍ଭେ ଖଡ୍ଗ ଦ୍ୱାରା ମରିବ ନାହିଁ;

5ତୁମ୍ଭେ ଶାନ୍ତିରେ ମରିବ; ପୁଣି, ତୁମ୍ଭ ପିତୃଲୋକମାନଙ୍କ ନିମନ୍ତେ, ତୁମ୍ଭ ପୂର୍ବବର୍ତ୍ତୀ ରାଜାମାନଙ୍କ ନିମନ୍ତେ ଯେପରି ଦାହ ହୋଇଥିଲା, ସେପରି ଲୋକମାନେ ତୁମ୍ଭ ନିମନ୍ତେ ସୁଗନ୍ଧି ଧୂପଦାହ କରିବେ; ଆଉ, ‘ହାୟ ପ୍ରଭୋ! ହାୟ ପ୍ରଭୋ!’ ବୋଲି ତୁମ୍ଭ ନିମନ୍ତେ ବିଳାପ କରିବେ, କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି କଥା କହିଅଛୁ।”

6ତହୁଁ ଯିରିମୀୟ ଭବିଷ୍ୟଦ୍‍ବକ୍ତା ଯିରୂଶାଲମରେ ଯିହୁଦାର ରାଜା ସିଦିକୀୟକୁ ଏହିସବୁ କଥା କହିଲେ।

7ସେସମୟରେ ବାବିଲ ରାଜାର ସୈନ୍ୟ ଯିରୂଶାଲମ ବିରୁଦ୍ଧରେ ଓ ଯିହୁଦାର ଅବଶିଷ୍ଟସକଳ ନଗର ଅର୍ଥାତ୍‍ ଲାଖୀଶ୍‍ ଓ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ; କାରଣ ଯିହୁଦା ଦେଶସ୍ଥ ନଗରସମୂହ ମଧ୍ୟରେ ଏହି ଦୁଇଟି ମାତ୍ର ପ୍ରାଚୀର-ବେଷ୍ଟିତ ନଗର ଅବଶିଷ୍ଟ ଥିଲା।

8ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟ ଦାସକୁ ଓ ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟା ଦାସୀକୁ ମୁକ୍ତ କରି ବିଦାୟ କରିବେ; କେହି ସେମାନଙ୍କୁ, ଅର୍ଥାତ୍‍ ଆପଣା ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବ ନାହିଁ,

9ଏପରି ମୁକ୍ତି ଘୋଷଣାର ନିୟମ ସିଦିକୀୟ ରାଜା ଯିରୂଶାଲମସ୍ଥ ସବୁ ଲୋକଙ୍କ ସହିତ ସ୍ଥିର କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।

10ସମସ୍ତ ଅଧିପତି ଓ ସମସ୍ତ ଲୋକେ ଏହି ନିୟମରେ ଆବଦ୍ଧ ହୋଇ, ପ୍ରତ୍ୟେକେ ଆପଣା ଆପଣା ଦାସକୁ ଓ ପ୍ରତ୍ୟେକେ ଆପଣା ଆପଣା ଦାସୀକୁ ମୁକ୍ତ କରି ବିଦାୟ କରିଦେବେ, କେହି ସେମାନଙ୍କୁ ଆଉ ଦାସ୍ୟକର୍ମ କରାଇବେ ନାହିଁ ବୋଲି ସମ୍ମତ ହେଲେ, ସେମାନେ ସମ୍ମତ ହୋଇ ସେମାନଙ୍କୁ ବିଦାୟ କରିଦେଲେ;

11ମାତ୍ର ତହିଁ ଉତ୍ତାରେ ସେମାନେ ଫେରି ଯେଉଁ ଦାସଦାସୀମାନଙ୍କୁ ମୁକ୍ତ କରି ବିଦାୟ କରି ଦେଇଥିଲେ, ସେମାନଙ୍କୁ ପୁନର୍ବାର ଅଣାଇ ଆପଣାମାନଙ୍କ ଦାସଦାସୀ ହେବା ନିମନ୍ତେ ବଶୀଭୂତ କଲେ।

12ଏହେତୁ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଯଥା,

13ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଆମ୍ଭେ ମିସର ଦେଶରୁ ଦାସଗୃହରୁ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଏକ ନିୟମ କଲୁ, ଯଥା,

14‘ତୁମ୍ଭର କୌଣସି ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବିକ୍ରୀତ ହୋଇ ଛଅ ବର୍ଷ ତୁମ୍ଭର ଦାସ୍ୟକର୍ମ କଲା ଉତ୍ତାରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ ଦେବ, ତୁମ୍ଭେମାନେ ପ୍ରତ୍ୟେକେ ସାତ ବର୍ଷର ଶେଷରେ ଆପଣା ଆପଣାର ସେହି ଭ୍ରାତାକୁ ମୁକ୍ତ କରିବ;’ ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭ ବାକ୍ୟ ଶୁଣିଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ।

15ପୁଣି, ତୁମ୍ଭେମାନେ ଏଥିପୂର୍ବେ ଫେରି ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ପ୍ରତି ମୁକ୍ତି ଘୋଷଣା କରି ଆମ୍ଭ ଦୃଷ୍ଟିରେ ଯଥାର୍ଥ କର୍ମ କରିଥିଲ ଓ ଆମ୍ଭ ନାମରେ ଖ୍ୟାତ ଗୃହରେ ଆମ୍ଭ ସମ୍ମୁଖରେ ନିୟମ କରିଥିଲ

16ମାତ୍ର ତୁମ୍ଭେମାନେ ଫେରି ଆମ୍ଭ ନାମ ଅପବିତ୍ର କଲ, ଆଉ ଯେଉଁମାନଙ୍କୁ ମୁକ୍ତ କରି ସେମାନଙ୍କ ଇଚ୍ଛାନୁସାରେ ବିଦାୟ କରି ଦେଇଥିଲ, ତୁମ୍ଭମାନଙ୍କର ପ୍ରତ୍ୟେକେ ଆପଣା ଆପଣା ସେହି ଦାସଦାସୀକୁ ପୁନର୍ବାର ଅଣାଇ ଆପଣାମାନଙ୍କର ଦାସଦାସୀ ହେବା ପାଇଁ ବଶୀଭୂତ କରିଅଛ।

17ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ପ୍ରତି ମୁକ୍ତି ଘୋଷଣା କରିବା ପାଇଁ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ; ଏଣୁ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ପ୍ରତି, ମହାମାରୀ ପ୍ରତି ଓ ଦୁର୍ଭିକ୍ଷ ପ୍ରତି ମୁକ୍ତି ଘୋଷଣା କରୁଅଛୁ; ଆଉ, ଆମ୍ଭେ ପୃଥିବୀର ସମସ୍ତ ରାଜ୍ୟରେ ଏଣେତେଣେ ବିକ୍ଷିପ୍ତ ହେବା ପାଇଁ ତୁମ୍ଭମାନଙ୍କୁ ସମର୍ପଣ କରିବା।

18ପୁଣି, ଯେଉଁମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି, ଯେଉଁମାନେ ଗୋବତ୍ସକୁ ଦୁଇ ଖଣ୍ଡ କରି ତନ୍ମଧ୍ୟ ଦେଇ ଗମନ କରିବା ବେଳେ ଆମ୍ଭ ସମ୍ମୁଖରେ ଯେଉଁ ନିୟମ କଲେ, ସେହି ନିୟମର କଥା ପାଳନ କରି ନାହାନ୍ତି, ସେମାନଙ୍କୁ,

19ଅର୍ଥାତ୍‍, ଯିହୁଦାର ଅଧିପତିଗଣକୁ ଓ ଯିରୂଶାଲମର ଅଧିପତିଗଣକୁ, ନପୁଂସକଗଣକୁ ଓ ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ, ଯେଉଁମାନେ ଗୋବତ୍ସର ଦୁଇ ଖଣ୍ଡର ମଧ୍ୟଦେଇ ଗମନ କଲେ, ସେମାନଙ୍କୁ ଆମ୍ଭେ ସମର୍ପଣ କରିବା;

20ଆମ୍ଭେ ସେମାନଙ୍କୁ ହିଁ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ତହିଁରେ ସେମାନଙ୍କର ଶବ ଖେଚର ପକ୍ଷୀଗଣର ଓ ଭୂଚର ପଶୁଗଣର ଖାଦ୍ୟ ହେବ।

21ପୁଣି, ଯିହୁଦାର ରାଜା ସିଦିକୀୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠି ଯାଇଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବା।

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
>