ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 35:1-18 IRVOry - Bible AI

1ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ଅଧିକାର ସମୟରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା,

2“ତୁମ୍ଭେ ରେଖବୀୟ ବଂଶ ନିକଟକୁ ଯାଇ ସେମାନଙ୍କ ସଙ୍ଗେ ଆଳାପ କର ଓ ସଦାପ୍ରଭୁଙ୍କ ଗୃହର ଏକ କୋଠରିକୁ ଆଣି ସେମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।”

3ତହୁଁ ମୁଁ ହବତ୍ସିନୀୟର ପୌତ୍ର, ଯିରିମୀୟର ପୁତ୍ର ଯାସନୀୟକୁ ଓ ତାହାର ଭ୍ରାତୃଗଣକୁ ଓ ତାହାର ସବୁ ପୁତ୍ରଙ୍କୁ, ଆଉ ସମୁଦାୟ ରେଖବୀୟ ବଂଶକୁ ସଙ୍ଗେ ନେଇ,

4ସେମାନଙ୍କୁ ସଦାପ୍ରଭୁଙ୍କ ଗୃହରେ, ପରମେଶ୍ୱରଙ୍କ ଲୋକ ଯିଗ୍‍ଦଲୀୟର ପୁତ୍ର ହାନନ୍‍ର ପୁତ୍ରମାନଙ୍କର କୋଠରିକୁ ନେଇଗଲି, ସେହି କୋଠରି ଶଲ୍ଲୁମ୍‍ର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରି ଉପରେ, ଅଧିପତିଗଣର କୋଠରି ନିକଟରେ ଥିଲା;

5ପୁଣି, ମୁଁ ରେଖବ ବଂଶୀୟ ଲୋକମାନଙ୍କ ସମ୍ମୁଖରେ ଦ୍ରାକ୍ଷାରସପୂର୍ଣ୍ଣ କେତେକ ପାତ୍ର ଓ ପାନପାତ୍ର ରଖି ସେମାନଙ୍କୁ କହିଲି, “ତୁମ୍ଭେମାନେ ଦ୍ରାକ୍ଷାରସ ପାନ କର।”

6ମାତ୍ର ସେମାନେ କହିଲେ, “ଆମ୍ଭେମାନେ ଦ୍ରାକ୍ଷାରସ ପାନ କରିବୁ ନାହିଁ; କାରଣ ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହୋନାଦବ୍‍ ଆମ୍ଭମାନଙ୍କୁ ଏହି ଆଜ୍ଞା ଦେଇଅଛନ୍ତି, ‘ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ କେହି କେବେ ଦ୍ରାକ୍ଷାରସ ପାନ କରିବ ନାହିଁ;

7ତୁମ୍ଭେମାନେ ଗୃହ ନିର୍ମାଣ କରିବ ନାହିଁ କିଅବା ବୀଜ ବୁଣିବ ନାହିଁ, ଅଥବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ, ଅବା ତହିଁର ଅଧିକାରୀ ହେବ ନାହିଁ; ମାତ୍ର ତୁମ୍ଭେମାନେ ଯାବଜ୍ଜୀବନ ତମ୍ବୁରେ ବାସ କରିବ, ତହିଁରେ ତୁମ୍ଭେମାନେ ଯେଉଁ ଦେଶରେ ପ୍ରବାସ କରୁଅଛ, ସେହି ଦେଶରେ ଅନେକ କାଳ ବଞ୍ଚିବ।’

8ଏଣୁ ଆମ୍ଭମାନଙ୍କର ଯାବଜ୍ଜୀବନ ଦ୍ରାକ୍ଷାରସ ପାନ ନ କରିବାକୁ ଓ ବାସ କରିବା ନିମନ୍ତେ ଗୃହ ନିର୍ମାଣ ନ କରିବାକୁ, ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହୋନାଦବ୍‍ ଆମ୍ଭମାନଙ୍କୁ ଯେସବୁ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ, ଆମ୍ଭମାନଙ୍କର ଭାର୍ଯ୍ୟାମାନେ ଓ ପୁତ୍ରକନ୍ୟାମାନେ ତାହାଙ୍କର ସେହି ବାକ୍ୟ ପାଳନ କରି ଆସୁଅଛୁ;

9ଅଥବା ଆମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର କି ଶସ୍ୟକ୍ଷେତ୍ର ବା ବୀଜ ନାହିଁ;

10ମାତ୍ର ଆମ୍ଭେମାନେ ତମ୍ବୁରେ ବାସ କରି, ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପୂର୍ବପୁରୁଷ ଯିହୋନାଦବ୍‍ର ସମସ୍ତ ଆଜ୍ଞା ପ୍ରମାଣେ କର୍ମ କରି ଆସୁଅଛୁ।

11ମାତ୍ର ବାବିଲର ରାଜା ନବୂଖଦ୍‍ନିତ୍ସର ଯେତେବେଳେ ଏହି ଦେଶକୁ ଆସିଲେ, ସେତେବେଳେ ଆମ୍ଭେମାନେ କହିଲୁ, ‘ଆସ, କଲ୍‍ଦୀୟ ସୈନ୍ୟର ଓ ଅରାମୀୟ ସୈନ୍ୟର ଭୟ ସକାଶୁ ଆମ୍ଭେମାନେ ଯିରୂଶାଲମକୁ ଯାଉ,’ ଏହେତୁ ଆମ୍ଭେମାନେ ଯିରୂଶାଲମରେ ବାସ କରୁଅଛୁ।”

12ଏଥିଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା,

13ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେ ଯାଇ ଯିହୁଦାର ଲୋକମାନଙ୍କୁ ଓ ଯିରୂଶାଲମର ନିବାସୀମାନଙ୍କୁ କୁହ, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ କରିବା ପାଇଁ କି ଶିକ୍ଷା ଗ୍ରହଣ କରିବ ନାହିଁ?

14ରେଖବର ପୁତ୍ର ଯିହୋନାଦବ୍‍ ଆପଣା ସନ୍ତାନଗଣକୁ ଦ୍ରାକ୍ଷାରସ ପାନ ନ କରିବା ପାଇଁ ଯେଉଁ ଆଜ୍ଞା ଦେଇଥିଲା, ତାହାର ସେହି ବାକ୍ୟ ପ୍ରତିପାଳିତ ହେଉଅଛି ଓ ସେମାନେ ଆଜି ପର୍ଯ୍ୟନ୍ତ ଦ୍ରାକ୍ଷାରସ ପାନ କରନ୍ତି ନାହିଁ; କାରଣ ସେମାନେ ଆପଣା ପିତୃପୁରୁଷର ଆଜ୍ଞା ପାଳନ କରନ୍ତି, ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହିଅଛୁ, ପ୍ରଭାତରେ ଉଠି କହିଅଛୁ; ଆଉ, ତୁମ୍ଭେମାନେ ଆମ୍ଭ କଥାରେ ମନୋଯୋଗ କରି ନାହଁ।

15ମଧ୍ୟ ଆମ୍ଭେ ଆପଣାର ସମସ୍ତ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ପ୍ରଭାତରେ ଉଠି ସେମାନଙ୍କୁ ପଠାଇ ତୁମ୍ଭମାନଙ୍କୁ କହିଅଛୁ, ‘ତୁମ୍ଭେମାନେ ପ୍ରତ୍ୟେକେ ଏବେ ଆପଣା ଆପଣା କୁପଥରୁ ଫେର, ଆପଣମାନଙ୍କର ଆଚରଣ ସୁଧରାଅ ଓ ଅନ୍ୟ ଦେବଗଣର ସେବା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍‍ଗାମୀ ହୁଅ ନାହିଁ, ତହିଁରେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଆମ୍ଭର ଦତ୍ତ ଦେଶରେ ତୁମ୍ଭେମାନେ ବାସ କରିବ;’ ମାତ୍ର ତୁମ୍ଭେମାନେ କର୍ଣ୍ଣପାତ କରି ନାହଁ, କିଅବା ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ।

16ରେଖବର ପୁତ୍ର ଯିହୋନାଦବ୍‍ର ସନ୍ତାନଗଣ ସେମାନଙ୍କ ପ୍ରତି ଆଜ୍ଞାପିତ ପିତୃପୁରୁଷର ଆଜ୍ଞା ପ୍ରତିପାଳନ କରିଅଛନ୍ତି, ମାତ୍ର ଏହି ଲୋକମାନେ ଆମ୍ଭ କଥାରେ ମନୋଯୋଗ କରି ନାହାନ୍ତି।

17ଏହେତୁ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ଆମ୍ଭେ ଯିହୁଦାର ଓ ଯିରୂଶାଲମ ନିବାସୀ ସମସ୍ତଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛୁ, ତାହାସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ସେମାନଙ୍କୁ କଥା କହିଅଛୁ, ମାତ୍ର ସେମାନେ ଶୁଣି ନାହାନ୍ତି ଓ ଆମ୍ଭେ ସେମାନଙ୍କୁ ଡାକିଅଛୁ, ମାତ୍ର ସେମାନେ ଉତ୍ତର ଦେଇ ନାହାନ୍ତି।”

18ପୁଣି, ଯିରିମୀୟ ରେଖବୀୟ ବଂଶକୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭେମାନେ ଆପଣାମାନଙ୍କର ପୂର୍ବପୁରୁଷ ଯିହୋନାଦବ୍‍ର ଆଜ୍ଞା ମାନିଅଛ ଓ ତାହାର ବିଧାନସବୁ ପାଳନ କରିଅଛ ଓ ତୁମ୍ଭମାନଙ୍କ ପ୍ରତି ତାହାର ସମସ୍ତ ଆଜ୍ଞା ପ୍ରମାଣେ କାର୍ଯ୍ୟ କରିଅଛ,

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
>