ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 42:1-21 IRVOry - Bible AI

1ଏଥିଉତ୍ତାରେ ସେନାପତି ସମସ୍ତେ, କାରେହର ପୁତ୍ର ଯୋହାନନ୍‍ ଓ ହୋଶୋୟୀୟର ପୁତ୍ର ଯାସନୀୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମୀୟ ଭବିଷ୍ୟଦ୍‍ବକ୍ତା ନିକଟକୁ ଆସି କହିଲେ,

2“ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କର ନିବେଦନ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆପଣ ଆମ୍ଭମାନଙ୍କ ନିମନ୍ତେ, ଅର୍ଥାତ୍‍, ଅବଶିଷ୍ଟ ଏହି ସକଳ ଲୋକଙ୍କ ନିମନ୍ତେ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ; କାରଣ ଆପଣ ସ୍ୱଚକ୍ଷୁରେ ଆମ୍ଭମାନଙ୍କୁ ଦେଖୁଅଛନ୍ତି, ଆମ୍ଭେମାନେ ଅନେକ ଥିଲୁ, ଏବେ ଅଳ୍ପମାତ୍ର ରହିଅଛୁ।

3ତହିଁରେ କେଉଁ ପଥ ଆମ୍ଭମାନଙ୍କର ଗନ୍ତବ୍ୟ ଓ କେଉଁ କର୍ମ ଆମ୍ଭମାନଙ୍କର କର୍ତ୍ତବ୍ୟ, ଏହା ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଜ୍ଞାତ କରାଇବେ।”

4ସେତେବେଳେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କର କଥା ଶୁଣିଲି; ଦେଖ, ମୁଁ ତୁମ୍ଭମାନଙ୍କର କଥାନୁସାରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବି ଓ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେକୌଣସି ଉତ୍ତର ଦେବେ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ମୁଁ କୌଣସି କଥା ତୁମ୍ଭମାନଙ୍କଠାରୁ ଗୋପନ କରିବି ନାହିଁ।”

5ତହିଁରେ ସେମାନେ ଯିରିମୀୟଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସାରେ ଯଦି ଆମ୍ଭେମାନେ କର୍ମ ନ କରୁ, ତେବେ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ସତ୍ୟ ଓ ବିଶ୍ୱସ୍ତ ସାକ୍ଷୀ ହେଉନ୍ତୁ।

6ତାହା ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭେମାନେ ଆପଣଙ୍କୁ ପଠାଉଅଛୁ, ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଆମ୍ଭେମାନେ ମାନିବୁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ମାନିଲେ, ଆମ୍ଭମାନଙ୍କର ମଙ୍ଗଳ ହେବ।”

7ଏଥିଉତ୍ତାରେ ଦଶ ଦିନ ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।

8ତହିଁରେ ସେ କାରେହର ପୁତ୍ର ଯୋହାନନ୍‍କୁ ଓ ତାହାର ସଙ୍ଗୀ ସେନାପତି ସମସ୍ତଙ୍କୁ ଓ କ୍ଷୁଦ୍ରଠାରୁ ମହାନ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଡାକି ସେମାନଙ୍କୁ କହିଲେ,

9“ତୁମ୍ଭେମାନେ ଯାହାଙ୍କ ନିକଟରେ ଆପଣାମାନଙ୍କର ନିବେଦନ ଜଣାଇବାକୁ ମୋତେ ପଠାଇଥିଲ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;

10ଯଦି ତୁମ୍ଭେମାନେ ଏହି ଦେଶରେ ଆହୁରି ବାସ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କୁ ନିର୍ମାଣ କରିବା, ଆଉ ଭାଙ୍ଗିବା ନାହିଁ ଓ ଆମ୍ଭେ ତୁମ୍ଭମାନଙ୍କୁ ରୋପଣ କରିବା, ଉତ୍ପାଟନ କରିବା ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଯେ ଅମଙ୍ଗଳ କରିଅଛୁ, ତହିଁରୁ କ୍ଷାନ୍ତ ହେଲୁ।

11ତୁମ୍ଭେମାନେ ଯେଉଁ ବାବିଲ ରାଜା ବିଷୟରେ ଭୀତ ଅଛ, ତାହାକୁ ଭୟ କର ନାହିଁ, ସଦାପ୍ରଭୁ କହନ୍ତି, ତାହାକୁ ଭୟ କର ନାହିଁ; କାରଣ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ଓ ତାହା ହସ୍ତରୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛୁ।

12ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଦୟା ପ୍ରଦାନ କରିବା, ତହିଁରେ ସେ ତୁମ୍ଭମାନଙ୍କ ପ୍ରତି ଦୟା ବହି ତୁମ୍ଭମାନଙ୍କ ଦେଶକୁ ତୁମ୍ଭମାନଙ୍କୁ ପ୍ରତ୍ୟାଗମନ କରାଇବ।

13ମାତ୍ର ଯଦି ତୁମ୍ଭେମାନେ କୁହ, ଆମ୍ଭେମାନେ ଏ ଦେଶରେ ବାସ କରିବା ନାହିଁ ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ନ ମାନି ଯଦି କୁହ,

14ନା; ମାତ୍ର ଆମ୍ଭେମାନେ ମିସର ଦେଶକୁ ଯିବା, ସେଠାରେ ଆମ୍ଭେମାନେ ଯୁଦ୍ଧ ଦେଖିବା ନାହିଁ, କି ତୂରୀ ଶବ୍ଦ ଶୁଣିବା ନାହିଁ, କିଅବା ଖାଦ୍ୟର ଅଭାବ ଭୋଗିବା ନାହିଁ; ଆଉ, ସେଠାରେ ଆମ୍ଭେମାନେ ବାସ କରିବା।

15ଏହେତୁ ହେ ଯିହୁଦାର ଅବଶିଷ୍ଟ ଲୋକେ, ତୁମ୍ଭେମାନେ ଏବେ ସଦାପ୍ରଭୁଙ୍କର ବାକ୍ୟ ଶୁଣ: ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ ଯଦି ମିସରରେ ପ୍ରବେଶ କରିବା ପାଇଁ ନିତାନ୍ତ ଉତ୍ସୁକ ହୁଅ ଓ ସେଠାରେ ପ୍ରବାସ କରିବା ପାଇଁ ଯାଅ;

16ତେବେ ଏହା ଘଟିବ ଯେ, ଯେଉଁ ଖଡ୍ଗକୁ ତୁମ୍ଭେମାନେ ଭୟ କରୁଅଛ, ତାହା ତୁମ୍ଭମାନଙ୍କର ପଛେ ଗୋଡ଼ାଇ ମିସରରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷୟରେ ତୁମ୍ଭେମାନେ ଭୀତ ହେଉଅଛ, ତାହା ମିସର ଦେଶରେ ତୁମ୍ଭମାନଙ୍କର ପଛେ ପଛେ ଲାଗି ରହିବ ଓ ସେଠାରେ ତୁମ୍ଭେମାନେ ମରିବ।

17ଯେଉଁମାନେ ମିସରକୁ ଯାଇ ସେଠାରେ ପ୍ରବାସ କରିବା ପାଇଁ ଉତ୍ସୁକ ହୁଅନ୍ତି, ସେସମସ୍ତ ଲୋକଙ୍କ ପ୍ରତି ଏହି ପ୍ରକାର ଘଟିବ; ସେମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ; ପୁଣି, ଆମ୍ଭେ ସେମାନଙ୍କ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତହିଁରୁ ସେମାନଙ୍କ ମଧ୍ୟରେ କେହି ଉତ୍ତୀର୍ଣ୍ଣ ଅବା ରକ୍ଷାପ୍ରାପ୍ତ ହେବେ ନାହିଁ।

18କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯିରୂଶାଲମ ନିବାସୀମାନଙ୍କ ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ଢଳା ଯାଇଅଛି, ସେପରି ତୁମ୍ଭେମାନେ ଯେତେବେଳେ ମିସରରେ ପ୍ରବେଶ କରିବ, ସେତେବେଳେ ତୁମ୍ଭମାନଙ୍କ ଉପରେ ଆମ୍ଭର ପ୍ରଚଣ୍ଡ କୋପ ଢଳାଯିବ; ପୁଣି, ତୁମ୍ଭେମାନେ ଅଭିଶାପ, ବିସ୍ମୟ, ଶ୍ରାପ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଆଉ ଦେଖିବ ନାହିଁ।

19ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ କହିଅଛନ୍ତି, ‘ତୁମ୍ଭେମାନେ ମିସରକୁ ଯାଅ ନାହିଁ,’ ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ।

20ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା କରିବୁ।’

21ପୁଣି, ଆଜି ମୁଁ ତୁମ୍ଭମାନଙ୍କୁ ତାହା ଜଣାଇଲି; ମାତ୍ର ଯେଉଁ ବିଷୟରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଲେ, ତହିଁର କୌଣସି ବିଷୟରେ ତୁମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କଲ ନାହିଁ।

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
>