ଯିହିଜିକଲ୍ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 11:1-24 IRVOry - Bible AI

1ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ସଦାପ୍ରଭୁଙ୍କ ଗୃହର ପୂର୍ବାଭିମୁଖ ପୂର୍ବ-ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ସେହି ଦ୍ୱାର ନିକଟରେ ପଚିଶ ଜଣ ପୁରୁଷ ଥିଲେ; ପୁଣି, ସେମାନଙ୍କ ମଧ୍ୟରେ ମୁଁ ଲୋକମାନଙ୍କର ଅଧିପତି ଅସୂରର ପୁତ୍ର ଯାସନୀୟ ଓ ବନାୟର ପୁତ୍ର ପ୍ଲଟୀୟକୁ ଦେଖିଲି।

2ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଅଧର୍ମ ସଂକଳ୍ପ କରନ୍ତି ଓ ଏହି ନଗର ମଧ୍ୟରେ କୁମନ୍ତ୍ରଣା ଦିଅନ୍ତି;

3ସେମାନେ କହନ୍ତି, ‘ଗୃହ ନିର୍ମାଣ କରିବାର ସମୟ ସନ୍ନିକଟ ହୋଇ ନାହିଁ; ଏହି ନଗର ହଣ୍ଡା ଓ ଆମ୍ଭେମାନେ ମାଂସ।’

4ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର।”

5ତହିଁରେ ସଦାପ୍ରଭୁଙ୍କ ଆତ୍ମା ମୋʼ ଠାରେ ଅଧିଷ୍ଠିତ ହୋଇ ମୋତେ କହିଲେ, “କୁହ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ଏପ୍ରକାର କଥା କହିଅଛ; ତୁମ୍ଭମାନଙ୍କ ମନରେ ଯେଉଁ ଯେଉଁ ବିଷୟ ଉଠୁଅଛି, ତାହା ଆମ୍ଭେ ଜାଣୁ।

6ତୁମ୍ଭେମାନେ ଏହି ନଗରରେ ଆପଣାମାନଙ୍କର ହତ ଲୋକଙ୍କ ସଂଖ୍ୟା ବୃଦ୍ଧି କରିଅଛ ଓ ତହିଁର ପଥସବୁ ହତ ଲୋକରେ ପୂର୍ଣ୍ଣ କରିଅଛ।

7ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭମାନଙ୍କର ଯେଉଁ ହତ ଲୋକଙ୍କୁ ତୁମ୍ଭେମାନେ ନଗର ମଧ୍ୟରେ ରଖିଅଛ, ସେମାନେ ମାଂସ, ପୁଣି ଏହି ନଗର ହଣ୍ଡା ଅଟେ; ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରାଯିବ।

8ତୁମ୍ଭେମାନେ ଖଡ୍ଗକୁ ଭୟ କରିଅଛ; ଆଉ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ଆଣିବା।

9ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ବିଚାର ସାଧନ କରିବା।

10ତୁମ୍ଭେମାନେ ଖଡ୍ଗରେ ପତିତ ହେବ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।

11ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ, କିଅବା ତୁମ୍ଭେମାନେ ତହିଁ ମଧ୍ୟରେ ମାଂସ ହେବ ନାହିଁ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା।

12ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ; କାରଣ ତୁମ୍ଭେମାନେ ଆମ୍ଭର ବିଧିମତେ ଆଚରଣ କରି ନାହଁ, କିଅବା ଆମ୍ଭର ଦଣ୍ଡାଜ୍ଞା ସଫଳ କରି ନାହଁ, ମାତ୍ର ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରିଅଛ।”

13ପୁଣି, ମୁଁ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା ବେଳେ ବନାୟର ପୁତ୍ର ପ୍ଲଟୀୟ ମଲା। ତହିଁରେ ମୁଁ ଉବୁଡ଼ ହୋଇ ପଡ଼ି ଉଚ୍ଚସ୍ୱରରେ କ୍ରନ୍ଦନ କରି କହିଲି, “ଆହା, ପ୍ରଭୁ, ସଦାପ୍ରଭୁ! ତୁମ୍ଭେ କି ଇସ୍ରାଏଲର ଅବଶିଷ୍ଟାଂଶକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବ?”

14ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

15“ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣକୁ, ହଁ, ତୁମ୍ଭର ଭ୍ରାତୃଗଣକୁ, ତୁମ୍ଭର କୁଟୁମ୍ବବର୍ଗୀୟ ଲୋକମାନଙ୍କୁ ଓ ସମୁଦାୟ ଇସ୍ରାଏଲ ବଂଶୀୟ ସମସ୍ତଙ୍କୁ କହିଅଛନ୍ତି, ‘ତୁମ୍ଭେମାନେ ସଦାପ୍ରଭୁଙ୍କଠାରୁ ଦୂରକୁ ଯାଅ; ଏହି ଦେଶ ଅଧିକାରାର୍ଥେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି;’

16ଏହେତୁ ତୁମ୍ଭେ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି; ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ତଥାପି ସେମାନେ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହି ସବୁ ଦେଶରେ ଆମ୍ଭେ ଅଳ୍ପ କାଳ ନିମନ୍ତେ ସେମାନଙ୍କର ଧର୍ମଧାମ ହେବା।’

17ଏଥିପାଇଁ ତୁମ୍ଭେ କୁହ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଗୋଷ୍ଠୀଗଣ ମଧ୍ୟରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛ, ସେହି ସବୁ ଦେଶରୁ ତୁମ୍ଭମାନଙ୍କୁ ଏକତ୍ର କରିବା ଓ ଇସ୍ରାଏଲ ଦେଶ ତୁମ୍ଭମାନଙ୍କୁ ଦେବା।’

18ପୁଣି, ସେମାନେ ସେହି ଦେଶକୁ ଯିବେ ଓ ତହିଁର ଯାବତୀୟ ଅଶୁଚି ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେହି ସ୍ଥାନରୁ ଦୂର କରିବେ।

19ଆଉ, ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା ଓ ଆମ୍ଭେ ସେମାନଙ୍କ ମାଂସରୁ ପ୍ରସ୍ତରମୟ ହୃଦୟ ଦୂର କରିବା ଓ ସେମାନଙ୍କୁ ମାଂସମୟ ହୃଦୟ ଦେବା।

20ତହିଁରେ ସେମାନେ ଆମ୍ଭର ବିଧିମତେ ଆଚରଣ କରିବେ ଓ ଆମ୍ଭର ନିୟମସବୁ ମାନ୍ୟ କରି ପାଳନ କରିବେ; ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।

21ମାତ୍ର ଯେଉଁମାନଙ୍କ ହୃଦୟ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ବସ୍ତୁସକଳର ହୃଦୟ ଅନୁସାରେ ଆଚରଣ କରେ, ଆମ୍ଭେ ସେମାନଙ୍କର ଆଚରଣର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”

22ଏଥିଉତ୍ତାରେ କିରୂବଗଣ ଆପଣା ଆପଣା ପକ୍ଷଗୁଡ଼ିକ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଥିଲା; ଆଉ, ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତାପ ସେମାନଙ୍କ ଊର୍ଦ୍ଧ୍ୱରେ ବିଦ୍ୟମାନ ଥିଲା।

23ଏଉତ୍ତାରେ ସଦାପ୍ରଭୁଙ୍କର ପ୍ରତାପ ନଗର ମଧ୍ୟରୁ ଊର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା।

24ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ଦର୍ଶନରେ କଲ୍‍ଦୀୟ ଦେଶକୁ ନିର୍ବାସିତ ଲୋକମାନଙ୍କ ନିକଟକୁ ଆଣିଲେ। ତହୁଁ ମୁଁ ଯେଉଁ ଦର୍ଶନ ପାଇଥିଲି, ତାହା ମୋʼ ନିକଟରୁ ଊର୍ଦ୍ଧ୍ୱଗମନ କଲା।

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
iv>