ଯିହିଜିକଲ୍ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 24:1-26 IRVOry - Bible AI

1ପୁନର୍ବାର ନବମ ବର୍ଷର ଦଶମ ମାସରେ, ମାସର ଦଶମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

2“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଦିନର ନାମ, ଅର୍ଥାତ୍‍, ଆଜି ଦିନର ନାମ ଲେଖି ରଖ; ଆଜି ଦିନରେ ବାବିଲର ରାଜା ଯିରୂଶାଲମ ନିକଟବର୍ତ୍ତୀ ହେଲା।

3ଏଣୁ ତୁମ୍ଭେ ଏହି ବିଦ୍ରୋହୀ ବଂଶର ଉଦ୍ଦେଶ୍ୟରେ ଗୋଟିଏ ଦୃଷ୍ଟାନ୍ତ କଥା କହି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି,

4ମାଂସଖଣ୍ଡସବୁ, ଉତ୍ତମ ଉତ୍ତମ ଖଣ୍ଡସବୁ, ଊରୁ ଓ ସ୍କନ୍ଧ, ତହିଁ ଭିତରେ ଏକତ୍ର କର;

5ପଲ ମଧ୍ୟରୁ ଉତ୍ତମ ପଶୁ ନିଅ ଓ ହଣ୍ଡା ତଳେ ଅସ୍ଥିସବୁ ସଜାଅ;

6ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେହି ରକ୍ତପୂର୍ଣ୍ଣା ନଗରୀ, ସେହି ହଣ୍ଡା, ଯହିଁର କଳଙ୍କ ତହିଁ ମଧ୍ୟରେ ଅଛି ଓ ଯହିଁର କଳଙ୍କ ତହିଁ ମଧ୍ୟରୁ ବାହାର ହୋଇ ନାହିଁ, ସେ ସନ୍ତାପର ପାତ୍ର! ତୁମ୍ଭେ ଖଣ୍ଡ ଖଣ୍ଡ କରି ତାହା ବାହାର କର; ତହିଁ ବିଷୟରେ ଗୁଲିବାଣ୍ଟ କରାଯାଇ ନାହିଁ।

7କାରଣ ତାହାର ରକ୍ତ ତାହା ମଧ୍ୟରେ ଅଛି; ସେ ଶୁଷ୍କ ଶୈଳ ଉପରେ ତାହା ରଖିଲା; ସେ ଧୂଳିରେ ତାହା ଆଚ୍ଛାଦିତ କରିବା ପାଇଁ ଭୂମିରେ ତାହା ଢାଳିଲା ନାହିଁ;

8ସେ ରକ୍ତ ପ୍ରତିଶୋଧ ନେବା ନିମନ୍ତେ ଯେପରି କୋପକୁ ଉପସ୍ଥିତ କରାଇବ, ଏଥିପାଇଁ ଆଚ୍ଛାଦିତ ନୋହିବା ନିମନ୍ତେ ଆମ୍ଭେ ଶୁଷ୍କ ଶୈଳ ଉପରେ ତାହା ରଖିଅଛୁ।

9ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେହି ରକ୍ତପୂର୍ଣ୍ଣା ନଗରୀ ସନ୍ତାପର ପାତ୍ର! ଆମ୍ଭେ ମଧ୍ୟ ରାଶି ବଡ଼ କରିବା।

10କାଠ ଗଦା କର, ଅଗ୍ନି ଜ୍ୱଳାଅ, ମାଂସ ଉତ୍ତମ ରୂପେ ସିଦ୍ଧ କର, ଝୋଳ ବହଳ କର ଓ ଅସ୍ଥିସବୁ ଦଗ୍ଧ ହେଉ।

11ତହିଁରେ ହଣ୍ଡା ତପ୍ତ ହେବା ପାଇଁ, ତହିଁର ପିତଳ ଦଗ୍ଧ ହେବା ପାଇଁ ଓ ତହିଁର ମଇଳା ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ୱଳନ୍ତା ଅଙ୍ଗାର ଉପରେ ରଖ।

12ସେ ପରିଶ୍ରମ କରି କରି ଆପଣାକୁ କ୍ଳାନ୍ତ କରିଅଛି; ତଥାପି ତାହାର ମହାକଳଙ୍କ ତାହା ମଧ୍ୟରୁ ଯାଏ ନାହିଁ; ତାହାର କଳଙ୍କ ଅଗ୍ନି ଦ୍ୱାରା ଯାଏ ନାହିଁ।

13ତୁମ୍ଭର ଅଶୌଚର ଲମ୍ପଟତା ଅଛି; ଆମ୍ଭେ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ, ଏଥିପାଇଁ ତୁମ୍ଭ ଉପରେ ଆମ୍ଭେ ଆପଣା କୋପ ଶାନ୍ତ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆପଣା ଅଶୌଚରୁ ଆଉ ଶୁଚୀକୃତ ନୋହିବ।

14ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଏହା ସିଦ୍ଧ ହେବ ଓ ଆମ୍ଭେ ଏହା ସାଧନ କରିବା; ଆମ୍ଭେ ଫେରିଯିବା ନାହିଁ, କିଅବା ଆମ୍ଭେ ଚକ୍ଷୁଲଜ୍ଜା କରିବା ନାହିଁ; ଅଥବା ଆମ୍ଭେ ଅନୁତାପ କରିବା ନାହିଁ; ତୁମ୍ଭର ଆଚରଣ ଅନୁସାରେ ଓ ତୁମ୍ଭର କ୍ରିୟାନୁସାରେ ସେମାନେ ତୁମ୍ଭର ବିଚାର କରିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”

15ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

16“ହେ ମନୁଷ୍ୟ-ସନ୍ତାନ, ଦେଖ, ଆମ୍ଭେ ତୁମ୍ଭ ନୟନର ପ୍ରୀତିପାତ୍ରକୁ ଏକ ଆଘାତରେ ହରଣ କରିବା; ତଥାପି ତୁମ୍ଭେ ବିଳାପ କି କ୍ରନ୍ଦନ କରିବ ନାହିଁ, କିଅବା ତୁମ୍ଭର ଚକ୍ଷୁରୁ ଲୋତକ ଧାର ବହିବ ନାହିଁ।

17ଦୀର୍ଘ ନିଃଶ୍ୱାସ ଛାଡ଼, ମାତ୍ର ଉଚ୍ଚ କରି ନୁହେଁ; ମୃତ ଲୋକ ପାଇଁ ବିଳାପ କର ନାହିଁ, ଆପଣା ମସ୍ତକରେ ଶିରୋଭୂଷଣ ବାନ୍ଧ ଓ ପାଦରେ ପାଦୁକା ପିନ୍ଧ, ତୁମ୍ଭର ଓଷ୍ଠାଧର ଆଚ୍ଛାଦନ କର ନାହିଁ, ପୁଣି, ଲୋକମାନଙ୍କର ରୁଟି ଖାଅ ନାହିଁ।”

18ତହିଁରେ ମୁଁ ପ୍ରାତଃକାଳରେ ଲୋକମାନଙ୍କ ସଙ୍ଗେ କଥା କହିଲି; ପୁଣି, ସନ୍ଧ୍ୟା ବେଳେ ମୋର ଭାର୍ଯ୍ୟା ମଲା, ତହିଁରେ ପ୍ରାତଃକାଳରେ ମୁଁ ଆଜ୍ଞାନୁସାରେ କର୍ମ କଲି।

19ତହୁଁ ଲୋକମାନେ ମୋତେ କହିଲେ, “ତୁମ୍ଭେ ଯେ ଏରୂପ କରୁଅଛ, ଏସବୁ ଆମ୍ଭମାନଙ୍କ ପ୍ରତି କଅଣ, ଏହା କି ଆମ୍ଭମାନଙ୍କୁ କହିବ ନାହିଁ?”

20ତହିଁରେ ମୁଁ ସେମାନଙ୍କୁ କହିଲି, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,

21‘ତୁମ୍ଭେ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ତୁମ୍ଭମାନଙ୍କର ବଳର ଦର୍ପ ସ୍ୱରୂପ, ତୁମ୍ଭମାନଙ୍କ ନୟନର ପ୍ରୀତିପାତ୍ର ଓ ତୁମ୍ଭମାନଙ୍କ ପ୍ରାଣର ସ୍ନେହପାତ୍ର, ଏପରି ଯେ ଆମ୍ଭର ଧର୍ମଧାମ, ଆମ୍ଭେ ତାହା ଅପବିତ୍ର କରିବା, ପୁଣି, ତୁମ୍ଭମାନଙ୍କର ଯେଉଁ ପୁତ୍ରକନ୍ୟାଗଣକୁ ତୁମ୍ଭେମାନେ ପଛରେ ଛାଡ଼ି ଯାଇଅଛ, ସେମାନେ ଖଡ୍ଗରେ ପତିତ ହେବେ।

22ତହିଁରେ ଆମ୍ଭେ ଯେପରି କରିଅଛୁ, ତୁମ୍ଭେମାନେ ସେହିପରି କରିବ; ତୁମ୍ଭେମାନେ ଆପଣା ଆପଣା ଓଷ୍ଠାଧର ଆଚ୍ଛାଦନ କରିବ ନାହିଁ, କିଅବା ଲୋକମାନଙ୍କର ରୁଟି ଖାଇବ ନାହିଁ।

23ପୁଣି, ତୁମ୍ଭମାନଙ୍କର ଶିରୋଭୂଷଣ ତୁମ୍ଭମାନଙ୍କ ମସ୍ତକରେ ଓ ତୁମ୍ଭମାନଙ୍କ ପାଦୁକା ତୁମ୍ଭମାନଙ୍କ ପାଦରେ ରହିବ; ତୁମ୍ଭେମାନେ ବିଳାପ କିମ୍ବା କ୍ରନ୍ଦନ କରିବ ନାହିଁ; ମାତ୍ର ତୁମ୍ଭେମାନେ ଆପଣା ଆପଣା ଅଧର୍ମରେ କ୍ଷୀଣ ହୋଇଯିବ ଓ ଏକ ଜଣ ଆରେକର ନିକଟରେ ବିଳାପ କରିବ।

24ଏହିରୂପେ ଯିହିଜିକଲ ତୁମ୍ଭମାନଙ୍କ ପ୍ରତି ଚିହ୍ନସ୍ୱରୂପ ହେବେ; ସେ ଯେପରି କରିଅଛନ୍ତି, ତୁମ୍ଭେମାନେ ସର୍ବପ୍ରକାରେ ସେହିପରି କରିବ; ଏହା ଯେତେବେଳେ ଘଟିବ, ସେତେବେଳେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।’

25ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଯେଉଁ ଦିନ ସେମାନଙ୍କର ବଳ, ସେମାନଙ୍କର ଗୌରବଜନକ ଆନନ୍ଦ, ସେମାନଙ୍କର ନୟନର ପ୍ରୀତିପାତ୍ର ଓ ଯହିଁରେ ସେମାନେ ଆପଣା ଚିତ୍ତ ଆସକ୍ତ କରନ୍ତି, ସେମାନଙ୍କର ପୁତ୍ର ଓ କନ୍ୟାଗଣ ସେମାନଙ୍କଠାରୁ ହରଣ କରିବା,

26ସେ ଦିନ ତାହା ତୁମ୍ଭ କର୍ଣ୍ଣଗୋଚର କରାଇବା ନିମନ୍ତେ ପଳାତକ ଲୋକ କି ତୁମ୍ଭ ନିକଟକୁ ଆସିବ ନାହିଁ?

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
iv>