ଯିହିଜିକଲ୍ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 34:1-30 IRVOry - Bible AI

1ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;

2“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ସେହି ପାଳକମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଇସ୍ରାଏଲର ଯେଉଁ ପାଳକମାନେ ଆପଣାମାନଙ୍କୁ ପାଳନ କରୁଅଛନ୍ତି, ସେମାନେ ସନ୍ତାପର ପାତ୍ର! ମେଷଗଣକୁ ପାଳନ କରିବାର କି ପାଳକମାନଙ୍କର କର୍ତ୍ତବ୍ୟ ନୁହେଁ?

3ତୁମ୍ଭେମାନେ ମେଦ ଖାଉଅଛ ଓ ତୁମ୍ଭେମାନେ ମେଷର ଲୋମ ପରିଧାନ କରୁଅଛ, ତୁମ୍ଭେମାନେ ହୃଷ୍ଟପୁଷ୍ଟ ଜନ୍ତୁ ମାରୁଅଛ, ମାତ୍ର ତୁମ୍ଭେମାନେ ମେଷଗଣକୁ ପାଳନ କରୁ ନାହଁ।

4ତୁମ୍ଭେମାନେ ଅସୁସ୍ଥମାନଙ୍କୁ ସବଳ କରି ନାହଁ ଓ ପୀଡ଼ିତମାନଙ୍କର ଚିକିତ୍ସା କରି ନାହଁ ଓ ଭଗ୍ନାଙ୍ଗର କ୍ଷତ ବାନ୍ଧି ନାହଁ ଓ ଯେ ତାଡ଼ିତ ହେଲା, ତାହାକୁ ଫେରାଇ ଆଣି ନାହଁ, କିଅବା ଯେ ହଜିଗଲା, ତୁମ୍ଭେମାନେ ତାକୁ ଖୋଜି ନାହଁ; ମାତ୍ର ତୁମ୍ଭେମାନେ ବଳରେ ଓ କଠୋରତାରେ ସେମାନଙ୍କ ଉପରେ ଶାସନ କରିଅଛ।

5ପୁଣି, କେହି ପାଳକ ନ ଥିବାରୁ ସେମାନେ ଛିନ୍ନଭିନ୍ନ ହୋଇଗଲେ ଓ କ୍ଷେତ୍ରସ୍ଥ ପଶୁଗଣର ଖାଦ୍ୟ ହୋଇ ଛିନ୍ନଭିନ୍ନ ହେଲେ।

6ଆମ୍ଭର ମେଷଗଣ ପର୍ବତ ସକଳରେ ଓ ପ୍ରତ୍ୟେକ ଉଚ୍ଚ ଗିରିରେ ଭ୍ରମଣ କଲେ; ହଁ, ଆମ୍ଭର ମେଷମାନେ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ ହୋଇଗଲେ; ପୁଣି, ସେମାନଙ୍କୁ ଖୋଜିବାକୁ ଓ ସେମାନଙ୍କର ପଛେ ପଛେ ଅନୁସନ୍ଧାନ କରିବାକୁ କେହି ନ ଥିଲା।

7ଏହେତୁ ହେ ପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;

8ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ନିଶ୍ଚୟ କେହି ପାଳକ ନ ଥିବାରୁ ଆମ୍ଭର ମେଷମାନେ ଲୁଟିତ ହେଲେ ଓ ଆମ୍ଭର ମେଷମାନେ କ୍ଷେତ୍ରସ୍ଥ ପଶୁସକଳର ଖାଦ୍ୟ ହେଲେ, ପୁଣି, ଆମ୍ଭର ପାଳକଗଣ ଆମ୍ଭର ମେଷମାନଙ୍କୁ ଖୋଜିଲେ ନାହିଁ, ମାତ୍ର ପାଳକଗଣ ଆପଣାମାନଙ୍କୁ ପାଳନ କରି ଆମ୍ଭ ମେଷମାନଙ୍କୁ ପାଳନ କଲେ ନାହିଁ;

9ଏଥିପାଇଁ ହେ ପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;

10ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପାଳକମାନଙ୍କର ପ୍ରତିକୂଳ ଅଟୁ; ଆମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭ ମେଷଗଣକୁ ଆଦାୟ କରିବା, ଆଉ ସେମାନଙ୍କୁ ମେଷପାଳନ କର୍ମରୁ ଚ୍ୟୁତ କରିବା ଓ ସେହି ପାଳକମାନେ ଆଉ ଆପଣାମାନଙ୍କୁ ପାଳନ କରିବେ ନାହିଁ; ପୁଣି, ସେମାନଙ୍କ ମୁଖରୁ ଆମ୍ଭେ ଆମ୍ଭର ମେଷଗଣକୁ ଉଦ୍ଧାର କରିବା, ତହିଁରେ ସେମାନେ ସେମାନଙ୍କ ପାଇଁ ଭକ୍ଷ୍ୟ ହେବେ ନାହିଁ।

11କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ନିଜେ, ଆମ୍ଭେ ହିଁ ନିଜ ମେଷଗଣର ଅନ୍ୱେଷଣ କରି ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା।

12କୌଣସି ପାଳକ ଆପଣା ଛିନ୍ନଭିନ୍ନ ମେଷଗଣର ମଧ୍ୟରେ ଥିବା ଦିନ ଯେପରି ଆପଣା ପଲର ତତ୍ତ୍ୱାନୁସନ୍ଧାନ କରେ, ସେହିପରି ଆମ୍ଭେ ଆପଣା ମେଷଗଣର ତତ୍ତ୍ୱାନୁସନ୍ଧାନ କରିବା; ଆଉ, ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେହି ସକଳ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବା।

13ଆଉ, ଆମ୍ଭେ ନାନା ଗୋଷ୍ଠୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବା ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବା, ପୁଣି ଆମ୍ଭେ ସେମାନଙ୍କୁ ଇସ୍ରାଏଲର ପର୍ବତ ସକଳରେ, ଜଳପ୍ରବାହର ନିକଟରେ ଓ ଦେଶର ସକଳ ବସତି ସ୍ଥାନରେ ଚରାଇବା।

14ଆମ୍ଭେ ଉତ୍ତମ ଚରାଣୀ ସ୍ଥାନରେ ସେମାନଙ୍କୁ ଚରାଇବା, ପୁଣି ଇସ୍ରାଏଲର ଉଚ୍ଚସ୍ଥଳୀର ପର୍ବତଗଣର ଉପରେ ସେମାନଙ୍କର ଖୁଆଡ଼ ହେବ; ସେହି ସ୍ଥାନରେ ସେମାନେ ଉତ୍ତମ ଖୁଆଡ଼ ମଧ୍ୟରେ ଶୟନ କରିବେ ଓ ଇସ୍ରାଏଲର ପର୍ବତମାନର ଉପରେ ପୁଷ୍ଟିକର ଚରାଣୀ ସ୍ଥାନରେ ସେମାନେ ଚରିବେ।

15ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆପଣା ମେଷଗଣକୁ ଚରାଇବା ଓ ଆମ୍ଭେ ସେମାନଙ୍କୁ ଶୟନ କରାଇବା।

16ଯେ ହଜିଥିଲା, ଆମ୍ଭେ ତାହାର ଅନ୍ଵେଷଣ କରିବା ଓ ଯେ ତାଡ଼ିତ ହୋଇଥିଲା, ତାହାକୁ ପୁନର୍ବାର ଆଣିବା, ପୁଣି, ଭଗ୍ନାଙ୍ଗର କ୍ଷତ ବାନ୍ଧିବା ଓ ପୀଡ଼ିତକୁ ସବଳ କରିବା, ଆଉ ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବା; ଆମ୍ଭେ ନ୍ୟାୟମତେ ସେମାନଙ୍କୁ ପାଳନ କରିବା।

17ପୁଣି, ହେ ଆମ୍ଭର ପଲ, ତୁମ୍ଭମାନଙ୍କ ବିଷୟରେ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପଶୁ ଓ ପଶୁର ମଧ୍ୟରେ, ମେଷ ଓ ଛାଗଗଣର ମଧ୍ୟରେ ବିଚାର କରୁ।

18ଉତ୍ତମ ଚରାଣୀ ସ୍ଥାନରେ ଚରିବାର, ମାତ୍ର ଚରାଣୀର ଅବଶିଷ୍ଟାଂଶ ପାଦ ତଳେ ଦଳିବାର ଓ ନିର୍ମଳ ଜଳ ପାନ କରିବାର, ମାତ୍ର ତହିଁର ଅବଶିଷ୍ଟାଂଶ ଆପଣା ପାଦରେ ଗୋଳିଆ କରିବାର, ଏହା କି ତୁମ୍ଭମାନଙ୍କୁ କ୍ଷୁଦ୍ର ବିଷୟ ଦିଶୁଅଛି?

19ମାତ୍ର ତୁମ୍ଭେମାନେ ଯାହା ପାଦରେ ଦଳିଅଛ, ଆମ୍ଭର ମେଷଗଣ ତାହା ଭୋଜନ କରନ୍ତି ଓ ଯାହା ତୁମ୍ଭେମାନେ ପାଦରେ ଗୋଳିଆ କରିଅଛ, ତାହା ସେମାନେ ପାନ କରନ୍ତି।

20ଏହେତୁ ସେମାନଙ୍କୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ, ଆମ୍ଭେ ହିଁ ହୃଷ୍ଟପୁଷ୍ଟ ମେଣ୍ଢା ଓ କ୍ଷୀଣ ମେଣ୍ଢା ମଧ୍ୟରେ ବିଚାର କରିବା।

21ତୁମ୍ଭେମାନେ ପାର୍ଶ୍ୱରେ ଓ ସ୍କନ୍ଧରେ ପୀଡ଼ିତମାନଙ୍କୁ ଠେଲି ଦେଉଅଛ ଓ ବାହାରେ ସେମାନଙ୍କୁ ଛିନ୍ନଭିନ୍ନ ନ କରିବା ପର୍ଯ୍ୟନ୍ତ ସେସମସ୍ତଙ୍କୁ ଆପଣା ଶୃଙ୍ଗରେ ପେଲି ଦେଉଅଛ;

22ଏଥିପାଇଁ ଆମ୍ଭେ ଆପଣା ପଲକୁ ରକ୍ଷା କରିବା, ତହିଁରେ ସେମାନେ ଆଉ ଲୁଟିତ ହେବେ ନାହିଁ; ପୁଣି, ଆମ୍ଭେ ମେଷର ଓ ମେଷର ମଧ୍ୟରେ ବିଚାର କରିବା।

23ଆଉ, ଆମ୍ଭେ ସେମାନଙ୍କ ଉପରେ ଏକ ପାଳକ, ଅର୍ଥାତ୍‍, ଆମ୍ଭର ଦାସ ଦାଉଦଙ୍କୁ ନିଯୁକ୍ତ କରିବା, ତହିଁରେ ସେ ସେମାନଙ୍କୁ ଚରାଇବ ଓ ସେ ସେମାନଙ୍କର ପାଳକ ହେବ।

24ପୁଣି, ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହେବା ଓ ଆମ୍ଭର ଦାସ ଦାଉଦ ସେମାନଙ୍କ ମଧ୍ୟରେ ଅଧିପତି ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।

25ଆଉ, ଆମ୍ଭେ ସେମାନଙ୍କ ପକ୍ଷରେ ଶାନ୍ତିର ନିୟମ ସ୍ଥିର କରିବା ଓ ହିଂସ୍ରକ ପଶୁଗଣକୁ ଦେଶରୁ ଶେଷ କରିବା; ତହିଁରେ ସେମାନେ ନିରାପଦରେ ପ୍ରାନ୍ତରରେ ବାସ କରିବେ ଓ ବନରେ ଶୟନ କରିବେ।

26ପୁଣି, ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ ସ୍ୱରୂପ କରିବା; ଆଉ, ଆମ୍ଭେ ଯଥା ସମୟରେ ଜଳଧାରା ବର୍ଷାଇବା; ତାହା ଆଶୀର୍ବାଦର ଜଳଧାରା ହେବ।

27ଆଉ, କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ୟଗୁଡ଼ିକ ଉତ୍ପନ୍ନ କରିବ, ପୁଣି, ସେମାନେ ଆପଣାମାନଙ୍କ ଦେଶରେ ନିରାପଦରେ ରହିବେ; ଆଉ, ଆମ୍ଭେ ସେମାନଙ୍କ ଯୁଆଳିର ଖିଲ ଭାଙ୍ଗିଲେ ଓ ସେମାନଙ୍କୁ ଦାସତ୍ୱ କରାଇବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।

28ପୁଣି, ସେମାନେ ଆଉ ଅନ୍ୟଦେଶୀୟମାନଙ୍କର ଲୁଟ ସ୍ୱରୂପ ହେବେ ନାହିଁ, କିଅବା ପୃଥିବୀସ୍ଥ ପଶୁମାନେ ସେମାନଙ୍କୁ ଗ୍ରାସ କରିବେ ନାହିଁ; ମାତ୍ର ସେମାନେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ।

29ପୁଣି, ଆମ୍ଭେ ସେମାନଙ୍କର ସୁଖ୍ୟାତି ନିମନ୍ତେ ଏକ ଉଦ୍ୟାନ ଉତ୍ପନ୍ନ କରିବା, ତହିଁରେ ସେମାନେ ଦେଶରେ ଦୁର୍ଭିକ୍ଷ ସକାଶୁ ଆଉ କ୍ଷୟ ପାଇବେ ନାହିଁ, କିଅବା ଅନ୍ୟଦେଶୀୟମାନଙ୍କର ଅପମାନ ଆଉ ଭୋଗ କରିବେ ନାହିଁ।

30ତହିଁରେ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଯେ ସେମାନଙ୍କର ସହବର୍ତ୍ତୀ ଅଟୁ ଓ ସେମାନେ, ଅର୍ଥାତ୍‍, ଇସ୍ରାଏଲ ବଂଶ ଯେ ଆମ୍ଭର ଲୋକ ଅଟନ୍ତି, ଏହା ସେମାନେ ଜାଣିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
iv>