ଯିହିଜିକଲ୍ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 38:1-22 IRVOry - Bible AI

1ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;

2“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଗେଶର, ମେଶକ୍‍ର+ 38:2 ମେଶକ୍‍ର କିମ୍ବା ରୋଶ* ଓ ତୁବଲ୍‍ର ଅଧିପତି ମାଗୋଗ୍‍ ଦେଶୀୟ ଗୋଗ୍‍ ପ୍ରତି ମୁଖ ରଖି ତାହା ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ,

3ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଗେଶର, ମେଶକ୍‍ର ଓ ତୁବଲ୍‍ର ଅଧିପତି ଗୋଗ୍‍, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ।

4ପୁଣି, ଆମ୍ଭେ ତୁମ୍ଭକୁ ବୁଲାଇବା ଓ ତୁମ୍ଭ କଳପାଟିରେ ଅଙ୍କୁଶ ଦେବା, ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ସୈନ୍ୟ ସମସ୍ତଙ୍କୁ, ଅଶ୍ୱ ଓ ଅଶ୍ୱାରୋହୀଗଣଙ୍କୁ ବାହାର କରି ଆଣିବା, ସେମାନେ ସମସ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ସଜ୍ଜାରେ ସୁସଜ୍ଜିତ, ଫଳକ ଓ ଢାଲଧାରୀ ମହାସମାଜ, ସେମାନଙ୍କର ସମସ୍ତେ ଖଡ୍ଗଧାରୀ ଅଟନ୍ତି;

5ସେମାନଙ୍କ ସଙ୍ଗେ ପାରସ୍ୟ, କୂଶ ଓ ପୂଟ୍‍; ସେମାନେ ସମସ୍ତେ ଢାଲ ଓ ଟୋପରଧାରୀ;

6ଗୋମର ଓ ତାହାର ସମସ୍ତ ଲୋକଦଳ; ଉତ୍ତର ଦିଗର ପ୍ରାନ୍ତସୀମାସ୍ଥିତ ତୋଗର୍ମାର ବଂଶ ଓ ତାହାର ସମସ୍ତ ଲୋକଦଳକୁ; ଏହି ପ୍ରକାର ଅନେକ ଗୋଷ୍ଠୀୟମାନଙ୍କୁ ତୁମ୍ଭ ସଙ୍ଗେ ଆଣିବା।

7ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ଆପଣାକୁ ଓ ତୁମ୍ଭ ନିକଟରେ ଏକତ୍ରିତ ତୁମ୍ଭର ସମସ୍ତ ସମାଜକୁ ପ୍ରସ୍ତୁତ କର, ଆଉ ତୁମ୍ଭେ ସେମାନଙ୍କର ରକ୍ଷକ ହୁଅ।

8ଅନେକ ଦିନ ଉତ୍ତାରେ ତୁମ୍ଭର ତତ୍ତ୍ୱାନୁସନ୍ଧାନ କରାଯିବ; ଶେଷ ବର୍ଷମାନର ମଧ୍ୟରେ ତୁମ୍ଭେ, ଖଡ୍ଗରୁ ପୁନରାନୀତ, ଅନେକ ଗୋଷ୍ଠୀ ମଧ୍ୟରୁ ସଂଗୃହୀତ ଦେଶକୁ, ଇସ୍ରାଏଲର ଚିର ଉତ୍ସନ୍ନ ପର୍ବତ ସକଳକୁ ଆସିବ; ମାତ୍ର ତାହା ନାନା ଗୋଷ୍ଠୀ ମଧ୍ୟରୁ ବାହାରେ ଆନୀତ ହୋଇଅଛି, ଆଉ ସେମାନେ, ସେମାନଙ୍କର ସମସ୍ତେ ନିରାପଦରେ ବାସ କରିବେ।

9ପୁଣି, ତୁମ୍ଭେ ଉପରକୁ ଉଠି, ବତାସ ପରି ଆସିବ, ଦେଶକୁ ଆଚ୍ଛନ୍ନ କରିବା ପାଇଁ ତୁମ୍ଭେ, ଆଉ ତୁମ୍ଭର ସମସ୍ତ ସୈନ୍ୟଦଳ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ମେଘ ତୁଲ୍ୟ ହେବେ।

10ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେହି ସମୟରେ ନାନା ବିଷୟ ତୁମ୍ଭ ମନରେ ପଡ଼ିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ;

11ପୁଣି, ତୁମ୍ଭେ କହିବ, ଆମ୍ଭେ ପ୍ରାଚୀରହୀନ ଗ୍ରାମ ବିଶିଷ୍ଟ ଦେଶକୁ ଯିବା; ଯେଉଁମାନେ ଶାନ୍ତିରେ ଅଛନ୍ତି, ନିରାପଦରେ ଓ ପ୍ରାଚୀରହୀନ ସ୍ଥାନରେ ବାସ କରନ୍ତି ଓ ଯେଉଁମାନଙ୍କର ଅର୍ଗଳ କି କବାଟ ନାହିଁ;

12ଲୁଟିବାକୁ ଓ ଦ୍ରବ୍ୟ ଅପହରଣ କରିବାକୁ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯାତ୍ରା କରିବା; ଯେଉଁ ସକଳ ଉତ୍ସନ୍ନ ସ୍ଥାନ ଏବେ ବସତିବିଶିଷ୍ଟ ହୋଇଅଛି, ତହିଁର ବିରୁଦ୍ଧରେ ଓ ଯେଉଁ ଗୋଷ୍ଠୀ ନାନା ଦେଶୀୟମାନଙ୍କ ମଧ୍ୟରୁ ସଂଗୃହୀତ ହୋଇଅଛନ୍ତି, ପଶୁ ଓ ଦ୍ରବ୍ୟାଦି ପ୍ରାପ୍ତ ହୋଇ ପୃଥିବୀର ମଧ୍ୟଭାଗରେ ବାସ କରୁଅଛନ୍ତି, ସେମାନଙ୍କ ବିରୁଦ୍ଧରେ ହସ୍ତାର୍ପଣ କରିବା ପାଇଁ (ତୁମ୍ଭେ ଯିବ)।

13ଶିବା, ଦଦାନ ଓ ତର୍ଶୀଶର ବଣିକଗଣ, ଆଉ ସେଠାସ୍ଥିତ ସକଳ ଗ୍ରାମ ତୁମ୍ଭକୁ କହିବେ, ‘ତୁମ୍ଭେ କି ଲୁଟିବାକୁ ଆସିଅଛ? ତୁମ୍ଭେ କି ଦ୍ରବ୍ୟ ଅପହରଣ କରିବା ପାଇଁ ଆପଣାର ଜନସମାଜ ଏକତ୍ର କରିଅଛ? ରୂପା, ସୁନା ବୋହି ନେବାର, ପଶୁ ଓ ଦ୍ରବ୍ୟାଦି ପ୍ରଚୁର ଲୁଟି ନେଇଯିବାର କି ତୁମ୍ଭର ଅଭିପ୍ରାୟ?’

14ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ଗୋଗ୍‍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ସେହି ଦିନ ଯେତେବେଳେ ଆମ୍ଭ ଇସ୍ରାଏଲର ଲୋକମାନେ ନିରାପଦରେ ବାସ କରିବେ, ସେତେବେଳେ ତୁମ୍ଭେ କି ତାହା ଜାଣିବ ନାହିଁ?

15ପୁଣି, ତୁମ୍ଭେ ଆପଣା ସ୍ଥାନ, ଉତ୍ତର ଦିଗସ୍ଥ ପ୍ରାନ୍ତଭାଗରୁ ଆସିବ, ତୁମ୍ଭେ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ଆସିବେ, ସେମାନେ ସମସ୍ତେ ଅଶ୍ୱାରୋହୀ ମହାସମାଜ ଓ ବିକ୍ରମୀ ସୈନ୍ୟସାମନ୍ତ;

16ଆଉ, ତୁମ୍ଭେ ଦେଶକୁ ମେଘ ତୁଲ୍ୟ ଆଚ୍ଛାଦନ କରିବା ପାଇଁ ଆମ୍ଭ ଇସ୍ରାଏଲ ଲୋକଙ୍କ ବିରୁଦ୍ଧରେ ଆସିବ; ହେ ଗୋଗ୍‍, ଶେଷ କାଳରେ ଏହା ଘଟିବ ଯେ, ଗୋଷ୍ଠୀୟମାନେ ଯେପରି ଆମ୍ଭକୁ ଜାଣିବେ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଆମ୍ଭ ଦେଶ ବିରୁଦ୍ଧରେ ଆଣିବା, ସେତେବେଳେ ଆମ୍ଭେ ଗୋଷ୍ଠୀୟମାନଙ୍କ ଦୃଷ୍ଟିରେ ତୁମ୍ଭ ମଧ୍ୟରେ ପବିତ୍ରୀକୃତ ହେବା।

17ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ତୁମ୍ଭକୁ ସେମାନଙ୍କ ବିରୁଦ୍ଧରେ ଆଣିବା ବୋଲି ଯାହାର ବିଷୟରେ ପ୍ରାଚୀନ କାଳରେ ଆପଣା ଦାସଗଣ ଦ୍ୱାରା, ଅର୍ଥାତ୍‍, ଯେଉଁମାନେ ସେହି କାଳରେ ଅନେକ ବର୍ଷ ଯାଏ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଥିଲେ, ଏପରି ଯେ ଇସ୍ରାଏଲ ଭବିଷ୍ୟଦ୍‍ବକ୍ତାଗଣ, ସେମାନଙ୍କ ଦ୍ୱାରା ଆମ୍ଭେ କହିଥିଲୁ, ତୁମ୍ଭେ କି ସେହି ବ୍ୟକ୍ତି?

18ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଯେଉଁ ଦିନ ଗୋଗ୍‍ ଇସ୍ରାଏଲ ଦେଶ ବିରୁଦ୍ଧରେ ଆସିବ, ସେହି ସମୟରେ ଆମ୍ଭର କୋପ ଆମ୍ଭର ନାସାରନ୍ଧ୍ରକୁ ଉଠିବ।

19କାରଣ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳା ଓ କୋପାନଳରେ କହିଅଛୁ, ଅବଶ୍ୟ ସେହି ଦିନ ଇସ୍ରାଏଲ ଦେଶରେ ମହାକମ୍ପ ହେବ;

20ତହିଁରେ ସମୁଦ୍ରର ମତ୍ସ୍ୟଗଣ, ଆକାଶର ପକ୍ଷୀଗଣ ଓ କ୍ଷେତ୍ରର ପଶୁଗଣ ଓ ଭୂଚର ଉରୋଗାମୀ ଜନ୍ତୁସମସ୍ତ, ଆଉ ପୃଥିବୀସ୍ଥ ମନୁଷ୍ୟ ସକଳ ଆମ୍ଭ ସାକ୍ଷାତରେ କମ୍ପମାନ ହେବେ ଓ ପର୍ବତସବୁ ଉତ୍ପାଟିତ ହେବେ, ଆଉ ଗଡ଼ନ୍ତି ସ୍ଥାନସବୁ ପଡ଼ିଯିବ ଓ ପ୍ରତ୍ୟେକ ପ୍ରାଚୀର ଭୂମିସାତ୍‍ ହେବ।

21ପୁଣି, ଆମ୍ଭେ ତାହାର ବିରୁଦ୍ଧରେ ଖଡ୍ଗ ପାଇଁ ଆମ୍ଭର ପର୍ବତ ସକଳକୁ ଆହ୍ୱାନ କରିବା; ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ପ୍ରତ୍ୟେକ ଲୋକର ଖଡ୍ଗ ତାହାର ଭ୍ରାତାର ପ୍ରତିକୂଳ ହେବ।

22ପୁଣି, ଆମ୍ଭେ ମହାମାରୀ ଓ ରକ୍ତ ଦ୍ୱାରା ତାହା ବିରୁଦ୍ଧରେ ପ୍ରତିବାଦ କରିବା; ଆଉ, ଆମ୍ଭେ ତାହା ଉପରେ ଓ ତାହାର ସୈନ୍ୟଦଳର ଉପରେ ଓ ତାହାର ସଙ୍ଗୀ ଅନେକ ଗୋଷ୍ଠୀର ଉପରେ ପ୍ଲାବନକାରୀ ବୃଷ୍ଟି, ବୃହତ ବୃହତ ଶିଳା, ଅଗ୍ନି ଓ ଗନ୍ଧକ ବର୍ଷାଇବା।

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
iv>