ଯିହିଜିକଲ୍ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 39:1-28 IRVOry - Bible AI

1“ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଗୋଗ୍‍ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ଗେଶର, ମେଶକ୍‍ର ଓ ତୁବଲ୍‍ର ଅଧିପତି ଗୋଗ୍‍, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ;

2ପୁଣି, ଆମ୍ଭେ ତୁମ୍ଭକୁ ବୁଲାଇବା ଓ ତୁମ୍ଭକୁ କଢ଼ାଇ ନେବା, ଆଉ ଉତ୍ତର ଦିଗର ପ୍ରାନ୍ତଭାଗରୁ ତୁମ୍ଭକୁ ଅଣାଇବା; ଆଉ, ଆମ୍ଭେ ଇସ୍ରାଏଲର ପର୍ବତସମୂହର ଉପରକୁ ତୁମ୍ଭକୁ ଆଣିବା;

3ପୁଣି, ଆମ୍ଭେ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବା।

4ଇସ୍ରାଏଲର ପର୍ବତଗଣ ଉପରେ ତୁମ୍ଭେ ପତିତ ହେବ, ତୁମ୍ଭର ସକଳ ସୈନ୍ୟଦଳ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ପତିତ ହେବେ; ଆମ୍ଭେ ସବୁ ପ୍ରକାର ହିଂସ୍ରକ ପକ୍ଷୀଗୁଡ଼ିକୁ ଓ କ୍ଷେତ୍ରସ୍ଥ ପଶୁଗଣର ଗ୍ରାସର ନିମନ୍ତେ ତୁମ୍ଭକୁ ସମର୍ପଣ କରିବା।

5ତୁମ୍ଭେ ପଡ଼ିଆରେ ପତିତ ହେବ; କାରଣ ଆମ୍ଭେ ଏହା କହିଅଛୁ, ପ୍ରଭୁ, ସଦାପ୍ରଭୁ ଏହା କହନ୍ତି।

6ପୁଣି, ଆମ୍ଭେ ମାଗୋଗ୍‍ର ଉପରେ ଓ ଦ୍ୱୀପସମୂହରେ ନିରାପଦରେ ବାସକାରୀମାନଙ୍କ ଉପରେ ଅଗ୍ନି ପ୍ରେରଣ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।

7ଆଉ, ଆମ୍ଭେ ଆମ୍ଭର ଇସ୍ରାଏଲ ଲୋକଙ୍କ ମଧ୍ୟରେ ଆପଣା ପବିତ୍ର ନାମ ଜ୍ଞାତ କରାଇବା ଓ ଆମ୍ଭର ପବିତ୍ର ନାମ ଆଉ ଅପବିତ୍ରୀକୃତ ହେବାକୁ ଦେବା ନାହିଁ, ତହିଁରେ ଆମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପବିତ୍ର ସଦାପ୍ରଭୁ ଅଟୁ, ଏହା ଗୋଷ୍ଠୀୟମାନେ ଜାଣିବେ।

8ଦେଖ, ତାହା ଆସୁଅଛି ଓ ତାହା ସିଦ୍ଧ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ଯେଉଁ ଦିନର ବିଷୟ ଆମ୍ଭେ କହିଅଛୁ, ଏହା ସେହି ଦିନ।

9ପୁଣି, ଇସ୍ରାଏଲର ନଗରସମୂହରେ ବାସକାରୀ ଲୋକମାନେ ବାହାରେ ଯାଇ, ଢାଲ ଓ ଫଳକ, ଧନୁ ଓ ତୀର, ଆଉ ଯଷ୍ଟି ଓ ବର୍ଚ୍ଛା, ଏହି ସକଳ ଅସ୍ତ୍ରଶସ୍ତ୍ର ଅଗ୍ନିରେ ଜଳାଇବେ, ସେମାନେ ସାତ ବର୍ଷ ପର୍ଯ୍ୟନ୍ତ ସେହି ସବୁ ନେଇ ଅଗ୍ନିରେ ଜ୍ୱଳାଇବେ;

10ଏହିରୂପେ ସେମାନେ ପଦାରୁ କାଠ ଆଣିବେ ନାହିଁ; କି ବନରୁ କିଛି କାଟିବେ ନାହିଁ; କାରଣ ସେମାନେ ଅସ୍ତ୍ରଶସ୍ତ୍ର ନେଇ ଅଗ୍ନିରେ ଜ୍ୱଳାଇବେ; ଆଉ, ଆପଣା ଲୁଣ୍ଠନକାରୀମାନଙ୍କର ଧନ ଲୁଣ୍ଠନ କରିବେ ଓ ଯେଉଁମାନେ ସେମାନଙ୍କର ସମ୍ପତ୍ତି ଅପହରଣ କଲେ, ସେମାନଙ୍କର ସମ୍ପତ୍ତି ଅପହରଣ କରିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

11ପୁଣି, ଆମ୍ଭେ ସେହି ଦିନ ଗୋଗ୍‍କୁ ଇସ୍ରାଏଲ ମଧ୍ୟରେ କବର ସ୍ଥାନ ନିମନ୍ତେ, ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ଦେବା; ତାହା ପଥିକମାନଙ୍କର ଗମନ ରୋଧ କରିବ ଓ ସେତୁ ସ୍ଥାନରେ ଲୋକମାନେ ଗୋଗ୍‍କୁ ଓ ତାହାର ସମସ୍ତ ଲୋକସମୂହକୁ କବର ଦେବେ; ଆଉ, ସେହି ସ୍ଥାନକୁ ସେମାନେ ହାମୋନ-ଗୋଗ୍‍ର ଉପତ୍ୟକା ବୋଲି ନାମ ଦେବେ।

12ପୁଣି, ଦେଶକୁ ଶୁଚି କରିବା ନିମନ୍ତେ ସେମାନଙ୍କୁ କବର ଦେବା ପାଇଁ ଇସ୍ରାଏଲ ବଂଶକୁ ସାତ ମାସ ଲାଗିବ।

13ହଁ, ଦେଶର ସମସ୍ତ ଲୋକ ସେମାନଙ୍କୁ କବର ଦେବେ; ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଗୌରବାନ୍ୱିତ ହେବା ଦିନ ସେମାନଙ୍କ ପକ୍ଷରେ ତାହା ଯଶ ସ୍ୱରୂପ ହେବ।

14ପୁଣି, ସେମାନେ ନିତ୍ୟ କାର୍ଯ୍ୟରେ ନିଯୁକ୍ତ ଲୋକମାନଙ୍କୁ ପୃଥକ କରିବେ, ସେହି ଲୋକମାନେ ଦେଶ ଶୁଚି କରିବା ପାଇଁ, ପଥିକମାନଙ୍କ ମଧ୍ୟରୁ ଭୂମିରେ ଅବଶିଷ୍ଟ ଥିବା ଲୋକମାନଙ୍କୁ କବର ଦେବା ନିମନ୍ତେ ଦେଶ ମଧ୍ୟଦେଇ ଗମନ କରିବେ; ସାତ ମାସ ଶେଷ ହେଲା ଉତ୍ତାରେ ସେମାନେ ଅନୁସନ୍ଧାନ କରିବେ।

15ପୁଣି, ସେହି ଗମନକାରୀମାନେ ଦେଶ ମଧ୍ୟଦେଇ ଗମନ କରିବେ ଓ କେହି ମନୁଷ୍ୟର ଅସ୍ଥି ଦେଖିଲେ ସେ ତାହା ନିକଟରେ ଗୋଟିଏ ଚିହ୍ନ ରଖିବ, ତହୁଁ କବର ଦେବା ଲୋକମାନେ ହାମୋନ-ଗୋଗ୍‍ ଉପତ୍ୟକାରେ ତାହାର କବର ଦେବେ।

16ଆହୁରି, ଏକ ନଗରର ନାମ ‘ହାମୋନା’ (ଲୋକସମୂହ) ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।

17ପୁଣି, ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରତ୍ୟେକ ବନ୍ୟ ପଶୁକୁ କୁହ, ତୁମ୍ଭେମାନେ ଏକତ୍ର ହୋଇ ଆସ; ତୁମ୍ଭେମାନେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ଯଜ୍ଞର ଚାରିଆଡ଼େ ଏକତ୍ର ହୁଅ, ଆମ୍ଭେ ଇସ୍ରାଏଲର ପର୍ବତଗଣ ଉପରେ ତୁମ୍ଭମାନଙ୍କ ନିମନ୍ତେ ଯଜ୍ଞ, ଏକ ମହାଯଜ୍ଞ କରୁଅଛୁ।

18ତୁମ୍ଭେମାନେ ବୀରମାନଙ୍କର ମାଂସ ଖାଇବ ଓ ଭୂପତିମାନଙ୍କର ରକ୍ତ ପିଇବ, ସେମାନେ ସମସ୍ତେ ବାଶନ ଦେଶୀୟ ହୃଷ୍ଟପୁଷ୍ଟ ମେଷ, ମେଷବତ୍ସ, ଛାଗ ଓ ବୃଷ ସ୍ୱରୂପ ଅଟନ୍ତି।

19ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ଯଜ୍ଞ କରୁଅଛୁ, ଆମ୍ଭର ସେହି ଯଜ୍ଞରୁ ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ମେଦ ଖାଇବ ଓ ମତ୍ତ ହେବା ପର୍ଯ୍ୟନ୍ତ ରକ୍ତ ପିଇବ।

20ଆଉ, ତୁମ୍ଭେମାନେ ଆମ୍ଭ ମେଜରେ ଅଶ୍ୱ, ରଥ, ବୀର ଓ ସବୁ ଯୋଦ୍ଧାମାନଙ୍କୁ ଖାଇ ତୃପ୍ତ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

21ପୁଣି, ଆମ୍ଭେ ଗୋଷ୍ଠୀଗଣଙ୍କ ମଧ୍ୟରେ ଆପଣାର ଗୌରବ ସ୍ଥାପନ କରିବା, ତହିଁରେ ଆମ୍ଭେ ଯାହା ସଫଳ କରିଅଛୁ, ଆମ୍ଭର ସେହି ଶାସନ ଓ ଆମ୍ଭେ ସେମାନଙ୍କ ଉପରେ ଆପଣାର ଯେଉଁ ହସ୍ତ ଥୋଇଅଛୁ, ତାହା ସକଳ ଗୋଷ୍ଠୀ ଦେଖିବେ।

22ଏହିରୂପେ ସେହି ଦିନ ଓ ସେହି ଦିନଠାରୁ ଇସ୍ରାଏଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସେମାନଙ୍କର ପରମେଶ୍ୱର ଅଟୁ।

23ପୁଣି, ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ଅଧର୍ମ ସକାଶୁ ବନ୍ଦୀ ହୋଇ ଯାଇଥିଲେ, କାରଣ ସେମାନେ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ ଅପରାଧ କରିବାରୁ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇଲୁ; ତହୁଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣର ହସ୍ତରେ ସମର୍ପଣ କଲୁ, ତହିଁରେ ସେମାନେ ସମସ୍ତେ ଖଡ୍ଗ ଦ୍ୱାରା ହତ ହେଲେ।

24ସେମାନଙ୍କର ଅଶୁଚିତା, ଆଉ ସେମାନଙ୍କର ଅପରାଧ ଅନୁସାରେ ଆମ୍ଭେ ସେମାନଙ୍କ ପ୍ରତି ବ୍ୟବହାର କଲୁ ଓ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇଲୁ।

25ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଏବେ ଆମ୍ଭେ ଯାକୁବର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବା; ଆଉ, ଆମ୍ଭେ ଆପଣା ପବିତ୍ର ନାମ ପକ୍ଷରେ ଉଦ୍‍ଯୋଗୀ ହେବା।

26ପୁଣି, ସେମାନେ ଯେତେବେଳେ ଆପଣାମାନଙ୍କ ଦେଶରେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ନ ଦେଖାଇବ, ଯେତେବେଳେ ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରୁ ସେମାନଙ୍କୁ ପୁନର୍ବାର ଆଣିବା ଓ ସେମାନଙ୍କ ଶତ୍ରୁଗଣର ଦେଶରୁ ସେମାନଙ୍କୁ ସଂଗ୍ରହ କରିବା, ଆଉ ଅନେକ ଗୋଷ୍ଠୀ ସାକ୍ଷାତରେ ସେମାନଙ୍କ ମଧ୍ୟରେ ପବିତ୍ରୀକୃତ ହେବା;

27ସେତେବେଳେ ସେମାନେ ଆପଣାମାନଙ୍କର ଅପମାନ ଓ ଆମ୍ଭ ବିରୁଦ୍ଧରେ ଯେଉଁସବୁ ସତ୍ୟ-ଲଙ୍ଘନ କଲେ, ସେହି ସକଳ ସତ୍ୟ-ଲଙ୍ଘନର ଫଳ ଭୋଗ କରିବେ।

28ପୁଣି, ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲୁ ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛୁ, ଏହା ସେମାନେ ଜାଣିବେ; ପୁଣି, ଆମ୍ଭେ ସେମାନଙ୍କର କାହାକୁ ହିଁ ଆଉ ସେଠାରେ ଅବଶିଷ୍ଟ ରଖିବା ନାହିଁ।

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
iv>