ଯିହିଜିକଲ୍ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 4:1-16 IRVOry - Bible AI

1ଆହୁରି, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ଇଟା ନେଇ ଆପଣା ସମ୍ମୁଖରେ ରଖ ଓ ତହିଁ ଉପରେ ଏକ ନଗରର, ଅର୍ଥାତ୍‍, ଯିରୂଶାଲମର ଛବି ଅଙ୍କିତ କର;

2ଆଉ, ତାହା ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ବନ୍ଧ ବାନ୍ଧ; ମଧ୍ୟ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କର।

3ପୁଣି, ଏକ ଖଣ୍ଡ ଲୁହାର କହ୍ରାଇ ନେଇ ତୁମ୍ଭର ଓ ନଗରର ମଧ୍ୟରେ ଲୌହ ପ୍ରାଚୀର ତୁଲ୍ୟ ତାହା ସ୍ଥାପନ କର; ଆଉ, ତୁମ୍ଭର ମୁଖ ତହିଁ ପ୍ରତି ରଖ, ତହିଁରେ ତାହା ଅବରୁଦ୍ଧ ହେବ ଓ ତୁମ୍ଭେ ତାହା ଅବରୋଧ କରି ତହିଁ ବିରୁଦ୍ଧରେ ରହିବ। ଏହା ଇସ୍ରାଏଲ ବଂଶ ପ୍ରତି ଏକ ଚିହ୍ନସ୍ୱରୂପ ହେବ।

4ଆହୁରି, ତୁମ୍ଭେ ଆପଣା ବାମ ପାର୍ଶ୍ୱରେ ଶୟନ କରି ଇସ୍ରାଏଲ ବଂଶର ଅଧର୍ମ ତହିଁ ଉପରେ ରଖ, ତୁମ୍ଭେ ତହିଁ ଉପରେ ଶୟନ କରିବା ଦିନର ସଂଖ୍ୟାନୁସାରେ ସେମାନଙ୍କର ଅଧର୍ମ ବୋହିବ।

5କାରଣ ଆମ୍ଭେ ସେମାନଙ୍କର ଅଧର୍ମର ବର୍ଷ ତୁମ୍ଭ ପ୍ରତି କେତେକ ସଂଖ୍ୟକ ଦିନ, ଅର୍ଥାତ୍‍, ତିନି ଶହ ନବେ ଦିନ ହେବା ପାଇଁ ନିରୂପଣ କରିଅଛୁ; ଏହି ପ୍ରକାରେ ତୁମ୍ଭେ ଇସ୍ରାଏଲ ବଂଶର ଅଧର୍ମ ବୋହିବ।

6ପୁନର୍ବାର ତୁମ୍ଭେ ସେହି ସକଳ ଦିନ ସମାପ୍ତ କଲା ଉତ୍ତାରେ ଆପଣା ଡାହାଣ ପାର୍ଶ୍ୱରେ ଶୟନ କରି ଯିହୁଦା ବଂଶର ଅଧର୍ମ ବୋହିବ; ଚାଳିଶ ବର୍ଷର ଏକ ଏକ ବର୍ଷକୁ ଆମ୍ଭେ ତୁମ୍ଭ ପାଇଁ ଏକ ଏକ ଦିନ କରି ନିରୂପଣ କରିଅଛୁ।

7ଆଉ, ତୁମ୍ଭେ ଆପଣା ବାହୁ ଅନାବୃତ କରି ଯିରୂଶାଲମର ସୈନ୍ୟ ବେଷ୍ଟନ ପ୍ରତି ମୁଖ ରଖିବ ଓ ତହିଁ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ।

8ପୁଣି, ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁରେ ବାନ୍ଧୁଅଛୁ, ଏଣୁ ତୁମ୍ଭେ ତୁମ୍ଭର ଅବରୋଧର ଦିନ ସମାପ୍ତ ନ କରିବା ପର୍ଯ୍ୟନ୍ତ ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଲେଉଟିବ ନାହିଁ।

9ଆହୁରି, ତୁମ୍ଭେ ଆପଣା ପାଇଁ ଗହମ, ଯବ, ଶିମ, ମସୁର, କାଙ୍ଗୁ ଓ ଜହ୍ନା ନେଇ ଗୋଟିଏ ପାତ୍ରରେ ରଖି ତହିଁରୁ ରୁଟି ପ୍ରସ୍ତୁତ କର; ତୁମ୍ଭେ ଯେଉଁ ତିନି ଶହ ନବେ ଦିନ ଆପଣା ପାର୍ଶ୍ୱରେ ଶୟନ କରିବ, ସେହି ଦିନର ସଂଖ୍ୟାନୁସାରେ ତାହା ଭୋଜନ କରିବ।

10ପୁଣି, ତୁମ୍ଭେ ଯେଉଁ ଖାଦ୍ୟ ଭୋଜନ କରିବ, ତାହା ପରିମାଣରେ ଏକ ଏକ ଦିନକୁ କୋଡ଼ିଏ ଶେକଲ+ 4:10 କୋଡ଼ିଏ ଶେକଲ ଅର୍ଥାତ୍‍ ୨୨୮ ଗ୍ରାମ୍* ଲେଖାଏଁ ହେବ; ତୁମ୍ଭେ ସମୟକୁ ସମୟ ତାହା ଭୋଜନ କରିବ।

11ଆଉ, ତୁମ୍ଭେ ପରିମାଣ ଅନୁସାରେ ଏକ ହୀନ୍‍ର ଷଷ୍ଠାଂଶ ଜଳ+ 4:11 ଏକ ହୀନ୍‍ର ଷଷ୍ଠାଂଶ ଜଳ ଅର୍ଥାତ୍‍ ଅଧା ଲିଟର* ପାନ କରିବ; ତୁମ୍ଭେ ସମୟକୁ ସମୟ ତାହା ପାନ କରିବ।

12ପୁଣି, ତୁମ୍ଭେ ସେହି ଖାଦ୍ୟଦ୍ରବ୍ୟ ଯବ ପିଷ୍ଟକ ପରି ଭୋଜନ କରିବ ଓ ସେମାନଙ୍କ ସାକ୍ଷାତରେ ମନୁଷ୍ୟର ବିଷ୍ଠା ଦ୍ୱାରା ତାହା ପାକ କରିବ!”

13ପୁଣି, ସଦାପ୍ରଭୁ କହିଲେ, “ଆମ୍ଭେ ଇସ୍ରାଏଲର ସନ୍ତାନଗଣକୁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ତଡ଼ିଦେବା, ସେମାନଙ୍କ ମଧ୍ୟରେ ସେମାନେ ଏହି ପ୍ରକାରେ ଆପଣା ଆପଣା ଅଶୁଚି ରୁଟି ଖାଇବେ।”

14ସେତେବେଳେ ମୁଁ କହିଲି, “ଆହା, ପ୍ରଭୋ ସଦାପ୍ରଭୋ! ଦେଖ, ମୋର ପ୍ରାଣ ଅଶୁଚି ହୋଇ ନାହିଁ, ମୁଁ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସ୍ୱୟଂମୃତ କିଅବା ପଶୁ ଦ୍ୱାରା ବିଦୀର୍ଣ୍ଣ କିଛି ହିଁ ଭୋଜନ କରି ନାହିଁ; ଅଥବା ଘୃଣାଯୋଗ୍ୟ ମାଂସ ମୋʼ ମୁଖରେ ପ୍ରବେଶ କରି ନାହିଁ!”

15ତହିଁରେ ସେ ମୋତେ କହିଲେ, “ଦେଖ, ଆମ୍ଭେ ମନୁଷ୍ୟର ବିଷ୍ଠା ବଦଳେ ଗୋମୟ ତୁମ୍ଭକୁ ଦେଲୁ, ଆଉ ତୁମ୍ଭେ ତହିଁ ଉପରେ ଆପଣା ରୁଟି ପାକ କରିବ।”

16ଆହୁରି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଦେଖ, ଆମ୍ଭେ ଯିରୂଶାଲମରେ ଅନ୍ନରୂପ ଯଷ୍ଟି ଭାଙ୍ଗିବା, ତହିଁରେ ଲୋକମାନେ ସୀମିତ ପରିମାଣ ଅନ୍ନ ଯତ୍ନ ସହ ଭୋଜନ କରିବେ ଓ ସୀମିତ ପରିମାଣ ଜଳ ଭୟରେ ପାନ କରିବେ;

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
v>