୧ ଯୋହନ 5:1-21 IRVOry - Bible AI

1ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ, ସେ ଈଶ୍ବରଙ୍କଠାରୁ ଜାତ; ଆଉ, ଯେ କେହି ଜନ୍ମଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ।

2ଆମ୍ଭେମାନେ ଯେତେବେଳେ ଈଶ୍ବରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ୱାରା ଜାଣି ପାରୁ ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ।

3କାରଣ ଈଶ୍ବରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାର ସ୍ୱରୂପ ନୁହେଁ।

4ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି, ତାହା ଆମ୍ଭମାନଙ୍କର ବିଶ୍ୱାସ।

5ଯୀଶୁ ଈଶ୍ବରଙ୍କ ପୁତ୍ର, ଏହା ଯେ ବିଶ୍ୱାସ କରେ, ତାହା ଛଡ଼ା ଆଉ କିଏ ଜଗତକୁ ଜୟ କରେ? ଈଶ୍ବରଙ୍କ ପୁତ୍ରଙ୍କ ସମ୍ବନ୍ଧୀୟ ସାକ୍ଷ୍ୟ

6ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ, କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ;

7ଆଉ ଆତ୍ମା ମଧ୍ୟ ଏଥିର ସାକ୍ଷ୍ୟ ଦିଅନ୍ତି, କାରଣ ଆତ୍ମା ହିଁ ସତ୍ୟ।

8ଆତ୍ମା, ଜଳ ଓ ରକ୍ତ, ଏହି ତିନି ସାକ୍ଷ୍ୟ ଦିଅନ୍ତି, ପୁଣି ତିନିର ସାକ୍ଷ୍ୟ ଏକ।

9ଆମ୍ଭେମାନେ ଯଦି ମନୁଷ୍ୟର ସାକ୍ଷ୍ୟ ଗ୍ରହଣ କରୁ, ତେବେ ଈଶ୍ବରଙ୍କ ସାକ୍ଷ୍ୟ ତାହାଠାରୁ ଶ୍ରେଷ୍ଠ, ଆଉ ଈଶ୍ବରଙ୍କ ସାକ୍ଷ୍ୟ ଏହା ଯେ, ସେ ଆପଣାର ପୁତ୍ରଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେଇଅଛନ୍ତି।

10ଯେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ବରଙ୍କ ସାକ୍ଷ୍ୟ ବିଶ୍ୱାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ବର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ୱାସ କରି ନାହିଁ।

11ସେହି ସାକ୍ଷ୍ୟ ଏହି ଯେ, ଈଶ୍ବର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି, ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି।

12ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି; ଯେ ଈଶ୍ବରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ହିଁ ପାଇ ନାହିଁ। ଅନନ୍ତ ଜୀବନ

13ଈଶ୍ବରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।

14ପୁଣି, ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି।

15ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହିସବୁ ଯେ ପାଇଅଛୁ, ଏହା ମଧ୍ୟ ଜାଣୁ।

16କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ବର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ।

17ସମସ୍ତ ଅଧର୍ମ ହିଁ ପାପ, କିନ୍ତୁ ଏପରି ପାପ ଅଛି, ଯାହା ମୃତ୍ୟୁଜନକ ନୁହେଁ।

18ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ଯେ ପାପ କରେ ନାହିଁ, ବରଂ ସେ ଈଶ୍ବରଙ୍କଠାରୁ ଜାତ ହୋଇ ଆପଣାକୁ ରକ୍ଷା କରେ, ଆଉ ପାପାତ୍ମା ତାହାକୁ ସ୍ପର୍ଶ କରେ ନାହିଁ, ଏହା ଆମ୍ଭେମାନେ ଜାଣୁ।

19ଆମ୍ଭେମାନେ ଯେ ଈଶ୍ବରଙ୍କଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ, ଏହା ଆମ୍ଭେମାନେ ଜାଣୁ।

20ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଈଶ୍ବରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି, ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍‍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ। ସେ ସତ୍ୟ ଈଶ୍ବର ଓ ଅନନ୍ତ ଜୀବନ ଅଟନ୍ତି।

21ହେ ବତ୍ସଗଣ, ପ୍ରତିମାମାନଙ୍କଠାରୁ ଆପଣା ଆପଣାକୁ ରକ୍ଷା କର। ଆମେନ୍।

v>