1ହେ ମୋହର ପୁତ୍ର, ତୁମ୍ଭେ ଯଦି ମୋʼ କଥା ଗ୍ରହଣ କର ଓ ମୋʼ ଆଜ୍ଞାସବୁ ମନରେ ରଖ;
2ଯଦି ଜ୍ଞାନ ଆଡ଼କୁ ତୁମ୍ଭ କର୍ଣ୍ଣ ଡେର ଓ ବୁଦ୍ଧିରେ ମନୋନିବେଶ କର;
3ହଁ, ଯଦି ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ ଓ ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର;
4ଯଦି ରୂପା ନ୍ୟାୟ ତାକୁ ଖୋଜ ଓ ପୋତା-ଧନ ପରି ତାହାର ଅନ୍ୱେଷଣ କର;
5ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ।
6ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।
7ସେ ସତ୍ ଲୋକଙ୍କ ନିମନ୍ତେ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି, ସେ ସରଳାଚାରୀମାନଙ୍କର ଢାଲ ସ୍ୱରୂପ ଅଟନ୍ତି।
8ଯେପରିକି ସେ ନ୍ୟାୟର ପଥ ରକ୍ଷା କରି ପାରିବେ ଓ ଆପଣା ସାଧୁମାନଙ୍କ ଗତି ସମ୍ଭାଳିବେ।
9ତହୁଁ ତୁମ୍ଭେ ଧାର୍ମିକତା, ସୁବିଚାର, ନ୍ୟାୟ ଓ ମଙ୍ଗଳର ସମସ୍ତ ପଥ ଜାଣିବ।
10କାରଣ ଜ୍ଞାନ ତୁମ୍ଭ ହୃଦୟରେ ପ୍ରବେଶ କରିବ, ପୁଣି, ବିଦ୍ୟା ତୁମ୍ଭ ପ୍ରାଣର ତୁଷ୍ଟିକର ହେବ;
11ପରିଣାମଦର୍ଶିତା ତୁମ୍ଭ ଉପରେ ପ୍ରହରୀ ହେବ, ବୁଦ୍ଧି ତୁମ୍ଭକୁ ରକ୍ଷା କରିବ।
12ତହିଁରେ ଯେଉଁମାନେ ଅବାଧ୍ୟ କଥା କହନ୍ତି,
13ଯେଉଁମାନେ ଅନ୍ଧକାରମୟ ପଥରେ ଗତାୟାତ କରିବା ନିମନ୍ତେ ସରଳ ମାର୍ଗ ପରିତ୍ୟାଗ କରନ୍ତି;
14ଯେଉଁମାନେ କୁକ୍ରିୟା କରିବାକୁ ହୃଷ୍ଟ ଓ ଦୁଷ୍ଟମାନଙ୍କ ଅବାଧ୍ୟତାରେ ଅନୁରକ୍ତ;
15ଯେଉଁମାନେ ଆପଣା ଆପଣା ମାର୍ଗରେ କୁଟିଳ ଓ ଆପଣା ଆପଣା ପଥରେ ବକ୍ରଗାମୀ, ଏପରି କୁକର୍ମକାରୀମାନଙ୍କ ପଥରୁ ତୁମ୍ଭର ଉଦ୍ଧାର ହେବ।
16ଆଉ, ଯେଉଁ ପରସ୍ତ୍ରୀ+ 2:16 ଅର୍ଥାତ୍ ବେଶ୍ୟା ଚାଟୁବାଦିନୀ, ଯେ ଆପଣା ଯୌବନ କାଳର ମିତ୍ରକୁ+ 2:16 ଅର୍ଥାତ୍ ତାହାର ସ୍ବାମୀକୁ ତ୍ୟାଗ କରି ଆପଣା ପରମେଶ୍ୱରଙ୍କ ନିୟମ ପାସୋରେ,
17ଯାହାର ଗୃହ ମୃତ୍ୟୁୁ ଆଡ଼େ
18ଓ ଯାହାର ପଥ ପରଲୋକ ଆଡ଼େ ଯାଏ, ଯାହା ନିକଟକୁ ଗମନ କଲେ+ 2:18 ନିକଟକୁ ଗମନ କଲେ ଅର୍ଥାତ୍ ଶୟନ କରିବାକୁ କେହି ଫେରି ଆସେ ନାହିଁ ଓ ଜୀବନର ପଥ ଆଉ ଧରେ ନାହିଁ,
19ଏପରି ପରସ୍ତ୍ରୀଠାରୁ ତୁମ୍ଭର ଉଦ୍ଧାର ହେବ।
20ଏନିମନ୍ତେ ତୁମ୍ଭେ ସତ୍ଲୋକମାନଙ୍କ ମାର୍ଗରେ ଗମନ କର ଓ ଧାର୍ମିକମାନଙ୍କ ପଥ ଅବଲମ୍ବନ କର,
21ଯେହେତୁ ସରଳ ଲୋକମାନେ ଦେଶରେ ବାସ କରିବେ, ପୁଣି, ସିଦ୍ଧ ଲୋକମାନେ ତହିଁରେ ସୁସ୍ଥିର ରହିବେ।
22ମାତ୍ର ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ ଓ ବିଶ୍ୱାସଘାତକମାନେ ତହିଁରୁ ଉତ୍ପାଟିତ ହେବେ।